ବୃଦ୍ଧି ପାଉଛି ଯୌନ ବିକାରଗ୍ରସ୍ତଙ୍କ ଦ୍ୱାରା ଆପତ୍ତିଜନକ କାର୍ଯ୍ୟ, ସଦ୍ୟତମ ଶିକାର ହେଲେ ଟିଭି ଅଭିନେତାଙ୍କ ପତ୍ନୀ

ମୁମ୍ବାଇ: ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଆଜି ଲୋକପ୍ରିୟ ଟିଭି ଅଭିନେତା ସୁମିତ ରାଘବନ୍‌ଙ୍କ ପତ୍ନୀ ବିଚ୍‌ରାସ୍ତା ଉପରେ ଜଣେ ଯୌନ ବିକାରଗ୍ରସ୍ତ ବ୍ୟକ୍ତିର ଆପତ୍ତିଜନକ କାର୍ଯ୍ୟର ଶିକାର ହୋଇ ଏକ ଲଜ୍ଜାଜନକ ପରିସ୍ଥିତିର ସାମନା କରିଛନ୍ତି। ଏହି ଘଟଣା ସଂପର୍କରେ ଅଭିଯୋଗ ହେବା ପରେ ଏବେ ସଂପୃକ୍ତ ଯୌନ ବିକାରଗ୍ରସ୍ତ ବ୍ୟକ୍ତିକୁ ଗିରଫ କରିବା ପାଇଁ ପୋଲିସ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଭିଲେ ପାର୍ଲେ ଇଷ୍ଟ ଅଞ୍ଚଳରେ ଥିବା ନିଜର ବାସଭବନରୁ କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଆଜି ମଧ୍ୟାହ୍ନରେ ସୁମିତ ରାଘବନ୍‌ଙ୍କ ପତ୍ନୀ ବାହାରକୁ ଆସିଥିଲେ। ତେବେ, ଏହି ସମୟରେ ତାଙ୍କ ଘର ସମ୍ମୁଖରେ ଏକ ବିଏମ୍‌ଡବ୍‌ଲ୍ୟୁ ଗାଡ଼ି ଥୁଆ ହୋଇଥିବା ସେ ଦେଖିବାକୁ ପାଇଥିଲେ। ତେବେ, ରାଘବନ୍‌ଙ୍କ ସ୍ତ୍ରୀଙ୍କୁ ରାସ୍ତା ଉପରେ ଦେଖିଦେବା ମାତ୍ରେ ସଂପୃକ୍ତ ବିଏମ୍‌ଡବଲ୍ୟୁ ଗାଡ଼ିର ଡ୍ରାଇଭର ତାଙ୍କୁ ଦେଖେଇ ଦେଖେଇ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗି ଯାଇଥିଲା। ଏ ଘଟଣା ଦେଖି ରାଘବନ୍‌ଙ୍କ ପତ୍ନୀ ଲଜ୍ଜିତ ହେବା ସହ ରାଗିଯାଇ ସଂପୃକ୍ତ ଡ୍ରାଇଭରକୁ ବାଡ଼େଇବାକୁ ଗୋଡ଼ାଇ ଯାଇଥିଲେ। ଏହା ଦେଖି ସଂପୃକ୍ତ ଅଭିଯୁକ୍ତ ଡ୍ରାଇଭର ଜଣକ ଗାଡ଼ି ଧରି ସେଠାରୁ ଫେରାର ହୋଇଯାଇଥିଲା। ତେବେ, ସୌଭାଗ୍ୟକୁ ସୁମିତ ରାଘବନ୍‌ଙ୍କ ପତ୍ନୀ ଗାଡ଼ିର ନମ୍ବରଟିକୁ ମନେ ରଖି ଦେଇଥିଲେ। ପୋଲିସ୍‌ରେ ଏ ସଂପର୍କରେ ଅଭିଯୋଗ ହେବାପରେ ମୁମ୍ବାଇ ପୋଲିସ୍‌ ଏବେ ସଂପୃକ୍ତ ଗାଡ଼ି ଓ ତା’ର ଡ୍ରାଇଭରକୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ମହାନଗରୀଗୁଡ଼ିକରେ ଏପରି ଯୌନ ବିକାରଗ୍ରସ୍ତ ବ୍ୟକ୍ତିମାନଙ୍କର ପ୍ରବଲ୍ୟ ଏବେ ବୃଦ୍ଧି ପାଇବା ଘଟଣା ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହିପରି ସମାନ ଧରଣର ଏକ ଘଟଣା ଗତ ମାସରେ ରାଜଧାନୀ ଦିଲ୍ଲୀର ରାଜରାସ୍ତା ଉପରେ ଘଟିଥିବା ବେଳେ ଗତ ସପ୍ତାହରେ ଏକ ଯାତ୍ରୀବାହୀ ବସ୍‌ ଭିତରେ ଘଟିଥିବା ପୋଲିସ୍‌ ନିକଟରେ ଅଭିଯୋଗ ହୋଇଥିଲା।

ଯୌନ ବିକାରଗ୍ରସ୍ତମାନଙ୍କର ଏ ପ୍ରକାରର ଅପକର୍ମକୁ ଏବେ ଦେଶର ସବୁ ସ୍ତରରୁ ନିନ୍ଦା କରା ଯାଉଥିବା ବେଳେ ବିବାଦୀୟ ଏବଂ ବିତର୍କିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ୍‌ ଏପରି ଯୌନ ବିକାରଗ୍ରସ୍ତମାନଙ୍କୁ ସମର୍ଥନ ଜଣାଇ ଦୁଷ୍କର୍ମ ଅପେକ୍ଷା ସେମାନଙ୍କର ଆପତ୍ତିଜନକ କାର୍ଯ୍ୟ ବରଂ ବୋଲି ଭଲ ବୋଲି ବୟାନ ଦେବାପରେ ଏହାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ବିତର୍କର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର