କୋଟିପତି ହେବା ନିଶାରେ ନିଜ ଗର୍ଭବତୀ ପତ୍ନୀର ବଳି ଚଢ଼ାଇଲା ପତି

ପୁଡ଼ୁଚେରି: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କୋଟିପତି ହେବାର ନିଶାରେ ଜଣେ ବ୍ୟକ୍ତି ନିଜର ଗର୍ଭବତୀ ପତ୍ନୀକୁ ନିର୍ମମ ଭାବେ ହତ୍ୟା କରିବା ସହ ବଳି ଚଢ଼ାଇବା ଘଟଣା ଏବେ ସମଗ୍ର ପୁଡ଼ୁଚେରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ୍‌ ମୃତା ମହିଳାଙ୍କ ସ୍ୱାମୀ ସମେତ ୫ ଜଣଙ୍କୁ ଗିରଫ କରିବା ସହ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ନିଜକୁ ଆତ୍ମଘୋଷିତ ଭଗବାନ ବୋଲି ଦାବି କରୁଥିବା ପୁଡ଼ୁଚେରିର ଜନୈକ ଭଣ୍ଡବାବା ଜଣେ ବ୍ୟକ୍ତିକୁ କୋଟିପତି ହେବାର ମିଥ୍ୟା ସ୍ୱପ୍ନ ଦେଖାଇଥିଲା। ବ୍ୟକ୍ତ ଜଣକୁ ଭଣ୍ଡବାବା କହିଥିଲା ଯେ ଯଦି ସେ ତା’ର ଗର୍ଭବତୀ ଥିବା ପତ୍ନୀକୁ ତଣ୍ଟି କାଟି ହତ୍ୟାକରି ବଳି ଚଢ଼ାଏ, ତେବେ ସେ ଖୁବ୍‌ଶୀଘ୍ର କୋଟିପତି ହୋଇଯିବ। ପରେ ଭଣ୍ଡବାବା କଥାରେ ଭଳି ଯାଇ ବ୍ୟକ୍ତି ଜଣକ ତା’ର ଗର୍ଭବତୀ ଥିବା ପତ୍ନୀର ତଣ୍ଟି କାଟି ତାକୁ ହତ୍ୟା କରିବା ସହ ବଳି ଚଢ଼ାଇ ଦେଇଥିଲା। ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ପୁଲିସ୍‌ ନିକଟକୁ ଯାଇ ତା’ ପତ୍ନୀ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଛି ବୋଲି ଏକ ମିଥ୍ୟା ରିପୋର୍ଟ ଲେଖାଇଥିଲା। ତେବେ, ପୁଲିସ୍‌ ଯେତେବେଳେ ତା’ ପତ୍ନୀକୁ ଖୋଜିଥିଲା ସେତେବେଳେ ପତ୍ନୀର ମୃତଦେହ ସହ ଏକ ଛୁରୀ, ସିନ୍ଦୁର ପ୍ରଭୃତି ଜବତ କରିଥିଲା। ପରେ, ପୁଲିସ୍‌ ସଂପୃକ୍ତ ବ୍ୟକ୍ତି ଉପରେ ସନ୍ଦେହ ପ୍ରକଟ କରି ଯେତେବେଳେ ପଚରାଉଚୁରା ଆରମ୍ଭ କରିଥିଲା, ସେ ପୁଲିସ୍‌ ନିକଟରେ ସବୁ ସତ ସ୍ୱୀକାର କରିଥିଲା।

ସମ୍ବନ୍ଧିତ ଖବର