ନୂଆଦିଲ୍ଲୀ: ୩ମାସ ଧରି ମା'ର ଶବକୁ ଘରେ ରଖିଥିଲା ପୁଅ | ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନକରି ମା'ର ଶବକୁ ଏଭଳି ଘରେ ରଖିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଆସାମରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା | ପଡୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି | ମୃତକଙ୍କ ନାମ ପୂର୍ଣ୍ଣିମା ଦେବୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ପୁଅର ନାମ ଜୟଦୀପ ଦେ' ବୋଲି ଜଣାଯାଇଛି |

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଜୟଦୀପଙ୍କ ମାନସିକ ଅବସ୍ଥା ଭଲ ନଥିଲା | ସେ ନିଜ ବାପାମା'ଙ୍କୁ ମାଡ଼ ମାରିବା ସହ ଘର ବାହାରକୁ ଯିବାକୁ ଦେଉନଥିଲେ | ଜୟଦୀପଙ୍କ ବାପା ଜଣେ ରେଳ କର୍ମଚାରୀ ଥିବାରୁ ତାଙ୍କର ଦେହାନ୍ତ ପରେ ପୂର୍ଣ୍ଣିମାଙ୍କୁ ପେନସନ ମିଳୁଥିଲା | ଜୟଦୀପଙ୍କ କୌଣସି ଆୟ ନଥିବାରୁ ପେନସନ ଟଙ୍କାରେ ଘର ଚଳାଉଥିଲେ ପୂର୍ଣ୍ଣିମା ଦେବୀ | ଏସବୁ ପରେ ବି ଜୟଦୀପ, ପୂର୍ଣ୍ଣିମା ଦେବୀଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ରଖୁଥିଲା ଓ କାହା ସହ କଥା ହେବାକୁ ଦେଉନଥିଲା | ପୂର୍ଣ୍ଣିମା ଦେବୀ ଘରୁ ନବାହାରିବା ଦେଖି ପଡୋଶୀମାନେ ଜୟଦୀପଙ୍କୁ ତାଙ୍କ ବିଷୟରେ ପଚାରିଥିଲେ | ସେ ସମସ୍ତଙ୍କୁ ଅଲଗା ଅଲଗା କାରଣ କହୁଥିଲା | ଏଥିରେ ସନ୍ଦେହ ହେବାରୁ ପଡୋଶୀମାନେ ପୁଲିସକୁ ଖବର ଦେଇଥିଲେ | ଖବର ପାଇଁ ପୁଲିସ ଜୟଦୀପଙ୍କ ଘରେ ପହଞ୍ଚିବା ପରେ ପୂର୍ଣ୍ଣିମାଙ୍କ କଙ୍କାଳ ତାଙ୍କ ଖଟ ଉପରେ ପଡିଥିବାର ଦେଖିଥିଲେ | 

ତେବେ ମୃତଦେହ ଦେଖି ପୂର୍ଣ୍ଣିମାଙ୍କ ଦେହାନ୍ତ ୩ମାସ ତଳେ ହୋଇଥିବ ବୋଲି ସନ୍ଦେହ କରୁଛି ପୁଲିସ | କିନ୍ତୁ ତଦନ୍ତ ପରେ ହିଁ ପ୍ରକୃତ କଥା ସାମ୍ନାକୁ ଆସିପାରିବ ବୋଲି ପୁଲିସ ଜଣାଇଛି |