ଅନ୍ତଃସତ୍ତ୍ୱା ପତ୍ନୀଙ୍କ ଆଗରେ ସ୍ୱାମୀଙ୍କୁ କତାରେ ହାଣି ହତ୍ୟା; ଅନର୍‌ କିଲିଙ୍ଗ୍‌ ସନ୍ଦେହ

ହାଇଦ୍ରାବାଦ: ଅନର୍‌ କିଲିଙ୍ଗ୍‌ ବୋଲି ସନ୍ଦେହ କରାଯାଉଥିବା ଏକ ଘଟଣାରେ ଜଣେ ଅନ୍ତଃସତ୍ତ୍ୱା ପତ୍ନୀଙ୍କ ସାମନାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ଅଜ୍ଞାତ ହତ୍ୟାକାରୀଜଣଙ୍କୁ ସେ ବ୍ୟକ୍ତିଙ୍କ ଶଶୁରଘର ଲୋକେ ପଠାଇଥିଲେ ବୋଲି ଅଭିଯୋଗ ହେଉଛି।

ଭୟାବହ କାଣ୍ଡଟି ଘଟିଛି ତେଲେଙ୍ଗାନାର ନାଲଗୋନ୍ଦା ଜିଲ୍ଲା ଅନ୍ତର୍ଗତ ମିରିୟାଲ୍‌ଗୁଡ଼ା ସହରରେ ଘଟିଛି। ପତିପତ୍ନୀ ପ୍ରଣୟ କୁମାର ଏବଂ ଅମୃତା ବର୍ଷିଣୀ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆସିଥିଲେ।

ସେମାନେ ଡାକ୍ତରଖାନାରୁ ବାହାରକୁ ଆସିବା ମାତ୍ରେ ପ୍ରଣୟଙ୍କୁ ଗୋଟାଏ ଦକ୍ଷିଣି କତାରେ ଆକ୍ରମଣ କରାଯାଇଥିଲା। ଆତତାୟୀ କତାଟିକୁ ଘଟଣାସ୍ଥଳରେ ପକାଇ ଖସି ପଳାଇଥିଲା।

ଛଅ ମାସ ତଳେ ପ୍ରଣୟ ଅମୃତାଙ୍କୁ ବିଭା ହୋଇଥିଲେ। ଏହି ବିଜାତୀୟ ବିଭାଘରକୁ ଅମୃତାଙ୍କ ଘରେ ବିରୋଧ କରୁଥିଲେ। ଅମୃତାଙ୍କ ବାପାମାଆ ରିୟଲ୍‌ଇଷ୍ଟେଟ୍‌ ବ୍ୟବସାୟ କରନ୍ତି।

ଜଣେ ପୁଲିସ ଅଧିକାରୀ କହନ୍ତି, ରୁଟିନ୍‌ ଚେକ୍‌-ଅପ୍‌ ପାଇଁ ଆସିଥିବା ସେ ଦମ୍ପତି ଡାକ୍ତରଖାନାରୁ ପଦାକୁ ଆସିବା କ୍ଷଣି ଜଣେ ଅଜ୍ଞାତ ବ୍ୟକ୍ତି ସ୍ୱାମୀଙ୍କ ବେକକୁ ମରଣାନ୍ତକ କତା ଚୋଟ ପକାଇଥିଲା। ଜୀବନ ବିକଳରେ ଅନ୍ତଃସତ୍ତ୍ୱା ମହିଳାଜଣକ ସେଠାରୁ ଧାଇଁ ପଳାଇ ଥିଲେ।

ସେ ଆହୁରି କହିଛନ୍ତି ଯେ ପୁଲିସ ସିସିଟିଭି ଫୁଟେଜ୍‌ ବିଶ୍ଳେଷଣ କରୁଛି। ହତ୍ୟାକାଣ୍ଡରେ ସେ ବ୍ୟକ୍ତିଙ୍କର ଶଶୁରଘର ଲୋକେ ସମ୍ପୃକ୍ତ କି, ନାହିଁ ତାହା ତଦନ୍ତ କରାଯାଉଛି।

ହତ୍ୟାକାଣ୍ଡରେ ଅମୃତାଙ୍କ ପିତା ମାରୁତି ରାଓଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ଗିରଫ କରିବାକୁ ପ୍ରଣୟର ସମ୍ପର୍କୀୟମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର