ନୂଆଦିଲ୍ଳୀ: ଦିଲ୍ଲୀର ମାଲବ୍ୟନଗରରେ ଗତକାଲି ଜଣେ ୨୫ ବର୍ଷୀୟ ଯୁବକକୁ ରାସ୍ତା ମଝିରେ ଛୁରୀ ମାରି ହତ୍ୟା ଅଭିଯୋଗ ହୋଇଥିଲା। ମାତ୍ର ହତ୍ୟାର କାରଣ ଜଣାପଡ଼ି ନଥିଲା। ଆଜି ସେହି ହତ୍ୟା ଘଟଣା ପଛର କାରଣ ସ୍ପଷ୍ଟ ହୋଇଛି। ଯୁବକ ଜଣକ କାନ୍ଥରେ ପରିଶ୍ରା କରୁଥିବା କାରଣରୁ ଝଗଡ଼ା ହୋଇଥିଲା ଓ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ହତ୍ୟାର ରୂପ ଦେଇଥିଲା ବୋଲି ସୂଚନା ରହିଛି।
ତେବେ ଯୁବକଙ୍କୁ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମନୀଷ, ରାହୁଲ, ଆଶିଷ ଓ ସୂରଜ।
ଜାଣିବାକୁ ମିଳିଛି ଯେ ମୃତ ଯୁବକ ଜଣକ କାନ୍ଥରେ ପରିଶ୍ରା କରିବାରୁ ଅଭିଯୁକ୍ତ ମନୀଷଙ୍କ ମାଆ ତାଙ୍କୁ ବିରୋଧ କରିଥିଲେ। ଏ ନେଇ ମନୀଷଙ୍କ ମାଆ ଓ ମୃତ ଯୁବକ ମୟଙ୍କଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ କ୍ରୋଧିତ ହୋଇ ମନୀଷ ତାଙ୍କ ବନ୍ଧୁଙ୍କୁ ଡକାଇଥିଲେ। ମନୀଷଙ୍କ କିଛି ବନ୍ଧୁ ସେଠାରେ ପହଞ୍ଚିବା ପରେ ଏହି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଶେଷରେ ଏହା ହତ୍ୟାର ରୂପ ନେଇଥିଲା। ମୟଙ୍କ ଜଣେ ହୋଟେଲ୍ ମ୍ୟାନେଜମେଣ୍ଟ୍ ଛାତ୍ର ବୋଲି ଜାଣିବାକୁ ମିଳିଛି।
ଏହି ସମୟର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଘଟଣାଟି ଅଗଷ୍ଟ ୧୧ ତାରିଖର। ପୁଲିସ୍ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏବେ ଅଭିଯୁକ୍ତମାନଙ୍କୁ ଧରାଯାଇଛି।
ମୟଙ୍କଙ୍କ ଜଣେ ବନ୍ଧୁ ପୁଲିସ୍ରେ ସୂଚନା ଦେଇ କହିଥିଲେ ଯେ ଅଗଷ୍ଟ ୧୧ ତାରାିଖ ସଂଧ୍ୟା ୭ଟା ସମୟରେ ସେ ଓ ତାଙ୍କ ବନ୍ଧୁ ମୟଙ୍କ ମାଲବ୍ୟନଗର ବେଗୁମପୁରର କିଲାରେ ବସିଥିଲେ। ଅଚାନକ ୪-୫ ଜଣ ଯୁବକ ଆସି ମୟଙ୍କଙ୍କ ସହ ଯୁକ୍ତିତର୍କ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବଢ଼ି ପରେ ଏହା ଝଗଡ଼ାର ରୂପ ନେଇଥିଲା। ଶେଷରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ମୟଙ୍କଙ୍କୁ ଏକାଧିକ ବାର ଛୁରୀରେ ଆଘାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-50-750x430-1.jpg)