୨୦ ଟଙ୍କାର ଗୁଟଖା ବାକିରେ ନ ଦେବାରୁ ଦୋକାନୀଙ୍କୁ ହତ୍ୟା

ପାଟନା: ବାକିରେ ଗୁଟଖା ନ ଦେବାରୁ ଦୋକାନୀଙ୍କୁ ହତ୍ୟା କଲେ ଜଣେ ଯୁବକ | ବିହାରର ସୁପୋଲ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି | ଜଣେ ପାନ ଦୋକାନୀ ଯୁବକଙ୍କୁ ୨୦ ଟଙ୍କାର ଗୁଟଖା ବାକି ନ ଦେବାରୁ ଉତ୍ୟକ୍ତ ଯୁବକ ଜଣକ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା କରିଛି | ମିଳିଥିବା ସୂଚନା ମୁତାବକ ବିହାରର ସୁପୋଲ ଜିଲ୍ଲାର ତ୍ରିବେଣୀଗଞ୍ଜରେ ମିଥିଲେସ କୁମାର ନାମକ ବ୍ୟକ୍ତି ଏକ ଦୋକାନ କରିଥିଲେ | ମଙ୍ଗଳବାର ସକାଳେ ଅଜିତ କୁମାର ନାମକ ବ୍ୟକ୍ତି ଦୋକାନରେ ପହଂଚି ମିଥିଲେସଙ୍କ ଉପରେ ଗୁଳି ଚଳାଇଥିଲେ |

ତେବେ ଏହା ପଛରେ ବାକି ଟଙ୍କା ହିଁ ମୁଖ୍ୟ କାରଣ ବୋଲି ପୁଲିସ ଜାଣିବାକୁ ପାଇଛି | ବାସ୍ତବରେ ସୋମବାର ଦିନ ଅଜିତ କୁମାର, ମିଥିଲେସଙ୍କ ଦୋକାନକୁ ୨୦ ଟଙ୍କାର ଗୁଟଖା ଆଣିବାକୁ ଯାଇଥିଲେ | ସେ ୨୦ ଟଙ୍କା ନ ଦେଇ ବାକିରେ ନେବାକୁ କହିଥିଲେ | ବାକି ଟଙ୍କାକୁ ନେଇ ମିଥିଲେସ ଓ ଅଜିତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଆଉ ଏହି ଘଟଣାକୁ ନେଇ ମଙ୍ଗଳବାର ସକାଳେ ଅଜିତ କୁମାର ନିଜର ୨ ଜଣ ସାଙ୍ଗଙ୍କ ସହ ମିଶି ଦୋକାନକୁ ଯାଇଥିଲେ |

ଆଉ ବାକି କାହିଁକି ଦେଲନି ବୋଲି କହି ଆଖିବୁଜା ଗୁଳି ଚଳାଇଥିଲେ | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଗୁଳି ଶବ୍ଦ ଶୁଣି ଲୋକ ପହଂଚିବା ବେଳକୁ ଅପରାଧୀ ଫେରାର ହୋଇଯାଇଥିଲେ | ଏହା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା | ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଧରିପାରିନାହିଁ | ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି | ଖୁବ ଶୀଘ୍ର ସେମାନଙ୍କୁ ଧରାଯିବ |

ସମ୍ବନ୍ଧିତ ଖବର