ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ମହିଳା ମୃତ, ସ୍ବାମୀ ଠେଲି ଦେଇ ହତ୍ୟା କରିଥିବା ସନ୍ଦେହ

ମୁମ୍ବାଇ: ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ମହିଳା ଓ ତାଙ୍କ ସ୍ବାମୀ ଟ୍ରେନ୍‌ ଚାଲୁଥିବା ବେଳେ ଦୁଆର ମୁହଁରେ ଛିଡ଼ା ହୋଇଥିଲେ। ମହିଳା ଜଣକ ଟ୍ରେନ୍‌ ଦୁଆରେ ଛିଡ଼ା ହୋଇଥିବା ବେଳେ ହଠାତ ଭାରସାମ୍ୟ ହରାଇ ବସିଥିଲେ। ତାଙ୍କ ସ୍ବାମୀ ତାଙ୍କ ହାତକୁ ଧରି ପକାଇଥିଲେ। ମାତ୍ର ତାଙ୍କ ସ୍ବାମୀ ବେଶି ସମୟ ଧରି ତାଙ୍କ ହାତକୁ ଧରି ରଖିନପାରିବାରୁ ମହିଳା ଜଣକ ତଳକୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ ମହିଳାଙ୍କ ସ୍ବାମୀ ମହିଳାଙ୍କୁ ଠେଲି ଦେଇ ତାଙ୍କର ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।

ଘଟଣାଟି ସୋମବାର ଦିନ ଘଟିଥିବା ବେଳେ ପୁଲିସ୍‌ ଗୁରୁବାର ଏ ନେଇ ମାମଲା ରୁଜୁ କରିଛି। ଏହି ଘଟଣା ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଘଟିଛି ବୋଲି ସୂଚନା ରହିଛି। ତେବେ, ଏହି ଘଟଣାର ତଦନ୍ତ କରି ପୁଲିସ୍‌ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ୩୧ ବର୍ଷୀୟ ଅଭିଯୁକ୍ତ ଓ ୨୬ ବର୍ଷୀୟା ପୀଡ଼ିତା ଉଭୟ ଶ୍ରମିକ ଥିଲେ ଓ ସେମାନଙ୍କର ୨ ମାସ ପୂର୍ବେ ବିବାହ ହୋଇଥିଲା। ସେମାନେ ସୋମବାର ପୀଡ଼ିତାଙ୍କ ପୂର୍ବ ସ୍ବାମୀ ସାତ ବର୍ଷର ଝିଅ ‌ସହ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଏପରି ଘଟିଥିବା ସୂଚନା ରହିଛି।

ଦୁର୍ଘଟଣା ଘଟିବା ପରେ ମହିଳାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଦେଖୁ ଦେଖୁ ହିଁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ସ୍ବାମୀଙ୍କ ନାମରେ ମାମଲା ଦାୟର ହୋଇଥିବା ବେଳେ ତାଙ୍କ ଝିଅକୁ ମହିଳାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

 

ସମ୍ବନ୍ଧିତ ଖବର