ପ୍ରେମିକାଙ୍କ ବିବାହ ପରେ ବ୍ଲାକମେଲିଂ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ ପ୍ରେମିକ, ଥାନାରେ ମାମଲା

ସୁରାଟ: ପ୍ରେମିକାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ, ମାତ୍ର ବିବାହ କଲେ ନାହିଁ। ତେବେ ପ୍ରେମିକଙ୍କ ପ୍ରତାରଣାରେ ଭାଙ୍ଗି ପଡ଼ିଥିବା ପ୍ରେମିକା ଜଣକ ପରିବାର କଥାରେ ଅନ୍ୟତ୍ର ବିବାହ କରିବା ପରେ ପୁଣି କେଁ ପୁରାଇଛନ୍ତି ପ୍ରେମିକ। ଅତୀତରେ ପ୍ରେମିକାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଉତ୍ତୋଳନ କରି ନେଇଥିବା ପ୍ରେମିକ ଏବେ ସେହି ଭିଡିଓ ଜରିଆରେ ପ୍ରେମିକାଙ୍କୁ ବ୍ଲାକ୍‌ ମେଲିଂ କରୁଛନ୍ତି। ଶାରୀରିକ ସମ୍ପର୍କ ନ ରଖିଲେ ତାଙ୍କ ପାଖରେ ଥିବା ଭିଡିଓକୁ ଭାଇରାଲ କରି ଦେବାର ଧମକ ଦେବା ପରେ ପ୍ରେମିକା ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରେମିକ ପ୍ରବର ଫେରାର ହୋଇ ଯାଇଛନ୍ତି।
ସୁରଟର ପାଣ୍ଡେସରା ଥାନା ଅଞ୍ଚଳରେ ରହୁନ୍ତି ସୁବାସ ରାଠୋର(୨୬ ବର୍ଷ)। ପ୍ରାୟ ୪ ବର୍ଷ ତଳେ ତାଙ୍କ ସହିତ ଜଣେ ୨୫ ବର୍ଷୀୟ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ସମାନ ସମ୍ପ୍ରଦାୟର ହୋଇଥିିବାରୁ ସୁବାସ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ପରେ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ସୁବାସ ଶରୀରିକ ସମ୍ପର୍କ ରଖିଥିଲେ। ମାତ୍ର ୪ବର୍ଷ ଧରି ସମ୍ପର୍କ ରଖିବା ପରେ ସୁବାସ ଆଉ ତାଙ୍କୁ ବିବାହ କରିବ ନାହିଁ ବୋଲି କହିଥିଲେ। ଅପରପକ୍ଷେ ଯୂୁବତୀଙ୍କ ପରିବାର ଲୋକେ ଯୁବତୀଙ୍କର ଅନ୍ୟତ୍ର ବିବାହ କରିଦେଇଥିଲେ। ବିବାହ ପରେ ପୁଣିି ସୁବାସ ସମ୍ପୃକ୍ତ ଯୁବତୀଙ୍କ ସହିତ ସମ୍ପର୍କ ରଖିବାକୁ ଚାହିଁଥିଲେ। ମାତ୍ର ଯୁବତୀ ସୁବାସଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରିଦେଇଥିଲେ ସୁବାସ।ବିଶେଷ କରି ଯୁବତୀଙ୍କ ସହିତ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସେ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଇ ଯୁବୀଙ୍କୁ ବ୍ଲାକ୍‌ମେଲିଂ କରିଥିଲେ। ଏ ନେଇ ଯୁବତୀଜଣକ ସାହସ ସଞ୍ଚୟ କରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲ ରୁଜୁକରି ଯୁବକଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି।

ସମ୍ବନ୍ଧିତ ଖବର