ନୂଆଦିଲ୍ଲୀ: ବିହାରର ଆରାରେ ସ୍ତ୍ରୀ ଏବଂ ନିଜ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ହତ୍ୟାକାରୀ ବ୍ୟକ୍ତିକୁ ପୁଲିସ କାବୁ କରିଥିଲା। କାବୁ କରିବାର କିଛିଘଣ୍ଟା ମଧ୍ୟରେ ଉକ୍ତ ବ୍ୟକ୍ତଜଣକ ପୁଲିସ କବଳରୁ ଚମ୍ପଟ ମାରିଥିଲା। ଏହି ଘଟଣା ପାଇଁ ପୁଲିସ ବିଭାଗକୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ବରିଷ୍ଠ ଅଧିକାରୀମାନେ ଏହି ଘଟଣାରେ ସାମିଲ ଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଭୋଜପୁରର ଅଜିମାବାଦ ପୁଲିସ ଷ୍ଟେସନ ପରିସରର ମିଲ୍କି ଟୋଲା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଗଳା କାଟି ହତ୍ୟା କରିଥିଲା। ଏହି ଘଟଣାର ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଲାଲୁ ଯାଦବକୁ ଗିରଫ କରିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଲାଲୁ ଯାଦବ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ପୁଲିସକୁ ଚଖମା ଦେଖାଇ ଷ୍ଟେସନରୁ ଚମ୍ପଟ ମାରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପୁଲିସ ଅଧୀକ୍ଷକ ପ୍ରମୋଦ କୁମାର ଯାଦବ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏସପି କହିଛନ୍ତି, 'ଗତକାଲି ଜିମାବାଦ ପୁଲିସ ଷ୍ଟେସନରେ ପତ୍ନୀ ଏବଂ ନିଜ ସନ୍ତାନକୁ ହତ୍ୟା କରିଥିବା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପୁଲିସ ଷ୍ଟେସନ‌ର ହାଜତରେ ରଖାଯାଇଥିଲା। କିନ୍ତୁ ସେ କେମିତି ଖସି ଚାଲିଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ନିଶ୍ଚିତ ଭାବେ ପୁଲିସର ଅବହେଳା ହେତୁ ଏହି ଘଟଣା ଘଟିଛି ବୋଲି ମୁଁ ସ୍ବୀକାର କରୁଛି। ଏହି ଘଟଣାର ତଦନ୍ତ ଚାଲିଛି। ଦୋଷୀଙ୍କୁ କଡ଼ାରୁ କଡ଼ା ଦଣ୍ଡ ମିଳିବ। ତେବେ ଅଭିଯୁକ୍ତ ଲାଲୁ ଯାଦବ ମାନସିକ ବିକୃତ ଥିବା କୁହାଯାଉଛି।