ଭାବପ୍ରବଣ ଧାଡ଼ି ଲେଖି ଡେଟିଂ ସାଇଟ୍‌ରୁ ଯୁବତୀଙ୍କୁ ଠକି ବିଳାସମୟ ଜୀବନ କାଟୁଥିଲେ ବ୍ୟକ୍ତି

ନୂଆଦିଲ୍ଳୀ: ଇଣ୍ଟର୍‌ନେଟ୍‌ରେ ପ୍ରାୟ ୩୦୦ ଯୁବତୀଙ୍କୁ ଧୋକା ଦେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଇଣ୍ଟର୍‌ନେଟ୍‌ ଜରିଆରେ ଯୁବତୀଙ୍କୁ ଫସାଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି।

ମାମଲା ହେଉଛି ରୁଷ୍‌ର ପିଟର୍ସବର୍ଗର। ପୁଲିସ୍‌ ଜଣେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ୪୨ ବର୍ଷୀୟ ଦମିତ୍ରି ଫ୍ରୋଲବଙ୍କୁ ଗିରଫ କରିଛି। ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ବ୍ୟକ୍ତି ଜଣକ ୧୦ ବର୍ଷରୁ ଅଧିକ ସମୟ ଧରି ଶହ ଶହ ଯୁବତୀଙ୍କୁ ଠକିବା ପରେ ଏବେ ଅତ୍ୟନ୍ତ ବିଳାସମୟ ଜୀବନ ବିତାଉଛନ୍ତି।

ତେବେ ବ୍ୟକ୍ତି ଜଣକ ଧନୀ ମହିଳାଙ୍କ ସହ ଗରିବ ମହିଳାଙ୍କୁ ବି ଫସାଉଥିଲା। ସେ ଧନୀ ମହିଳାଙ୍କୁ ଠକିବା ପରେ ଫେରାର୍‌ ହୋଇ ଯାଉଥିଲେ। କେବଳ ସେତିକି ନୁହେଁ, ଗରିବ ମହିଳାଙ୍କ ସହ ସେ ଭଲପାଇବାର ନାଟକ କରି ନିଜର ଅସୁବିଧା ବଖାଣୁଥିଲେ। କାହାଠାରୁ କରଜ କରି ସେ ତ‌ାଙ୍କୁ ଆର୍ଥିକ ସହାୟତା ପାଇଁ ମହିଳାଙ୍କୁ ଉସୁକାଉଥିଲେ। ମହିଳାମାନେ ମାନି ଯାଉଥିଲେ ଓ ସେ ଟଙ୍କା ଲୁଟିବା ପରେ ସଂପର୍କ ଛିନ୍ନ କରି ଦେଉଥିଲେ।

ତେବେ ଡେଟିଂ ଆପ୍‌ ଜରିଆରେ ହିଁ ସେ ମହିଳାମାନଙ୍କ ଯୋଗାଯୋଗରେ ଆସୁଥିଲେ ବୋଲି ଜଣାପଡ଼ିଛି। ସେଠାରେ ସମସ୍ତଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲେଖୁଥିଲେ ଯେ ‘ଏକଲାପଣରେ ଥକି ଗଲିଣି’। ଆହୁରି ବି ଲେଖିଥାନ୍ତି ଯେ ‘ପରିବାର ବନାଇବାର ସ୍ବପ୍ନ ଦେଖୁଛି, ନିଜର ଏକ ଛୋଟ ବ୍ୟବସାୟ ଚଳାଉଛି।’

ତେବେ ଜଣେ ୩୫ ବର୍ଷୀୟା ଯୁବତୀ ଜଣକ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଉକ୍ତ ବ୍ୟକ୍ତିଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ଯୁବତୀ ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଦମିତ୍ରି ଫ୍ରୋଲବ ତାଙ୍କର ଘର, ଗାଡ଼ି ସବୁ ବିକ୍ରି କରି ଦେଇଥିବା ବେଳେ ତାଙ୍କ ନାମରେ ୫ ଲକ୍ଷ ଟଙ୍କାର କରଜ କରିଛନ୍ତି।

 

ସମ୍ବନ୍ଧିତ ଖବର