ଗ୍ୱାଲିଅର୍: ମଧ୍ୟପ୍ରଦେଶର ଗ୍ୱାଲିଅରରେ ପୁଲିସ ଜଣେ ପାଗଳ ପ୍ରେମିକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ପ୍ରେମିକା ମୋବାଇଲ୍ ନମ୍ବରକୁ ବ୍ଲକରେ ପକାଇ ଦେଇଥିବାରୁ ରାଗରେ ଯୁବତୀଙ୍କ  ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଏହି ନିଆଁ ଉକ୍ତ ପାର୍କିଂ ସ୍ଥାନରେ ରଖାଯାଇଥିବା ଅନ୍ୟ ୭ଟି ଗାଡ଼ିରେ ଲାଗି ଯାଇଥିଲା।
 ଦେଖୁଦେଖୁ  ପାର୍କିଂରେ ଛିଡ଼ା ହୋଇଥିବା ୮ଟି ଗାଡ଼ି ପାଉଁଶ ହୋଇଯାଇଥିଲା। ପାଗଳ ପ୍ରେମିକର ଏସମସ୍ତ କାର୍ଯ୍ୟ ସିସିଟିଭିରେ କଏଦ ହୋଇଥିଲା। ସିସିଟିଭି ଭିଡିଓ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇ ଦେଇଛି।
ଗିରଫ ପରେ ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତ ସ୍ୱୀକାର କରିଥିଲା ଯେ ପାର୍କିଂ ସ୍ଥାନରେ ପାର୍କିଂ ହୋଇଥିବା ତାଙ୍କ ପ୍ରେମିକାଙ୍କ ସ୍କୁଟରରେ ସେ ହିଁ ନିଆଁ ଲଗାଇ ଦେଇଥିଲେ। 
ଅଭିଯୁକ୍ତ ସଞ୍ଜୟ କିରାର କହିଥିଲେ,‘ମୁଁ ଅନେକ ଚେଷ୍ଟା କଲି ମୋ ପ୍ରେମିକା ସହିତ ଯୋଗାଯୋଗ କରିବା ପାଇଁ କିନ୍ତୁ ସେ ମୋର ସମସ୍ତ ନମ୍ବର ବ୍ଲକରେ ପକାଇ ଦେଇଥିଲା। ଯାହାକୁ ମୁଁ ସହ୍ୟ କରି ପାରି ନଥିଲି। ତେଣୁ ପ୍ରତି‌‌ଶୋଧ ନେବା ପାଇଁ ପ୍ରେମିକା ଜିବାଜି ବିଶ୍ବବିଦ୍ୟାଳୟ ଥାନା ପରିସରରେ ଥିବା ରାଜକମଲ ଆପାର୍ଟମେଣ୍ଟ  ପାର୍କିଂରେ ଛିଡ଼ା କରିଥିବା ଗାଡ଼ିରେ ମୁଁ ନିଆଁ ଲଗାଇ ଦେଇଥିଲି। ଜାଣି ନଥିଲି ଏନିଆଁ ଅନ୍ୟ ଗାଡ଼ି ପର୍ଯ୍ୟନ୍ତ ବ୍ୟାପିଯିବ ବୋଲି। ମୋର କେବଳ ଯୁବତୀଙ୍କ ଉପରେ ରାଗ ଥିଲା। ଅନ୍ୟ ଲୋକଙ୍କ ଯାନବାହାନକୁ ନଷ୍ଟ କରିବା ମୋର ଉଦ୍ଦେଶ୍ୟ ନଥିଲା। ’

Advertisment