ଇଂରାଜୀରେ କଥା ହେବାରୁ ସାଙ୍ଗକୁ ୫୪ଥର ଛୁରି ଭୁସିି ହତ୍ୟା କଲା ଯୁବକ

ମୁମ୍ବାଇ : ଗୁରୁବାର ଜଣେ ଯୁବକ ନିଜ ୧୮ବର୍ଷର ବନ୍ଧୁତାକୁ ଭୁଲି ଅତି ନିର୍ମମ ଭାବରେ ନିଜ ସାଙ୍ଗକୁ ହତ୍ୟା କରିଥିବା ଜଣାପଡ଼ିଛି । କଥା ହେଉଥିବା ସମୟରେ ମୃତ ଯୁବକ ଜଣଙ୍କ ଇଂରାଜୀରେ କଥା ହେବାରୁ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ହତ୍ୟା ପରେ ସେ ପୁଲିସ ଷ୍ଟେସନ ଯାଇ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନା ମୁତାବକ, ମହମ୍ମଦ ଅମୀର ଅବ୍‌ଦୁଲ ଓ୍ଵାହିଦ୍‌ ରହିନ୍‌ ଏବଂ ମହମ୍ମଦ ଅଫ୍ରୋଜ୍‌ ଅଲାମ୍‌ ଶେଖ୍‌ ମଧ୍ୟରେ ୧୮ବର୍ଷର ବନ୍ଧୁତା ରହିଥିଲା । ଶେଖ୍‌ ଭଲ ଇଂରାଜୀ କହିପାରୁଥିବା ବେଳେ ରହିନ୍‌ଙ୍କୁ ଇଂରାଜୀ କହିବାରେ ସମସ୍ୟା ହେଉଥିଲା । ଏହି କଥାକୁ ନେଇ ଶେଖ୍‌ ସବୁବେଳେ ରହିନ୍‌ଙ୍କୁ ଚିଡ଼ାଉଥିବା ବେଳେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ରହିନ୍‌ ଯୋଜନା କରିଥିଲେ । ବୁଧବାର ରାତିରେ ମଦ ପିଇବା ଆଳରେ ରହିନ୍‌ ଶେଖ୍‌ଙ୍କୁ ବାନ୍ଦ୍ରାର ଏକ ବାର୍‌କୁ ଡ଼ାକିଥିଲେ । ଦୁଇ ସାଙ୍ଗ ମଦ ପିଇ ସାରିବା ପରେ ଶେଖ୍‌ ଟଏଲେଟ୍‌ ଯାଇଥିଲେ । ହତ୍ୟାର ମଉକା ଖୋଜୁଥିବା ରହିନ୍‌ ତାଙ୍କ ପଛେ ପଛେ ଯାଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲେ ।

www.summitcrimestoppers.org

ଶେଖ୍‌ ତଳେ ପଡ଼ିଯିବା ପରେ ମଧ୍ୟ ରହିନ୍‌ ତାଙ୍କ ଶରୀରକୁ ୫୪ ଥର ଛୁରୀରେ ଆଘାତ କରିିଥିଲେ । ମାରି ସାରିବା ପରେ ମଧ୍ୟ ଅପରାଧକୁ ନ ଲୁଚାଇ ସେ ସାହୁ ନଗର ପୁଲିସ ଷ୍ଟେସନ ଯାଇ ଆତ୍ମସମର୍ପଣ କରିବା ସହ ପୁଲିସକୁ ମୃତ ଶରୀର ଉଦ୍ଧାର ପାଇଁ କହିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶେଖ୍‌ଙ୍କୁ ସିଓନ ଡ଼ାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର