ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରର ଏମଓ୍ଵାଏ ହସ୍ପିଟାଲ୍ (ମହାରାଜା ୟଶବନ୍ତ ରାଓ ହସ୍ପିଟାଲ୍)ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରୋଗୀଙ୍କୁ ଅଚିହ୍ନା ଯୁବକଙ୍କ ସହିତ ଗୋଟିଏ ଷ୍ଟ୍ରେଚରରେ ଏକାଠି ଏକ୍ସ-ରେ ରୁମ୍ ପର୍ଯ୍ୟନ୍ତ ନିଆ ଯାଇଥିଲା।
କୁହାଯାଉଛି କି, ସଙ୍ଗୀତା ନାମକ ମହିଳା ରୋଗୀଙ୍କ ଗୋଡରେ ଫେକ୍ଚର ହୋଇଥିଲା। ତେଣୁ ସେ ଗତ ୧୨ଦିନ ହେବ ଏମଓ୍ଵାଏ ହସ୍ପିଟାଲ୍ରେ ଭର୍ତ୍ତି ଥିଲେ। ବୁଧବାର ତାଙ୍କୁ ତୃତୀୟ ମହଲାରୁ ତଳ ମହଲାରେ ଥିବା ଏକ୍ସ-ରେ ରୁମ୍କୁ ନିଆ ଯାଇଥିଲା। ଏମିତିରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଷ୍ଟ୍ରେଚର ନଥିବା କହି ମହିଳାଙ୍କୁ ଜଣେ ଅଚିହ୍ନା ରୋଗୀଙ୍କ ସହିତ ଏକାଠି ଗୋଟିଏ ଷ୍ଟ୍ରେଚରରେ ଶୁଆଇ ଏକ୍ସ-ରେ ରୁମ୍ ପର୍ଯ୍ୟନ୍ତ ନେଇଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ୍ ହେଲା ପରେ ହସ୍ପିଟାଲ୍ ଚିକିତ୍ସା ଅଧିକାରୀ ଡାକ୍ତର ପିଏସ୍ ଠାକୁର ନର୍ସିଂ ଷ୍ଟାଫ୍, ଡାକ୍ତର ଓ ଓ୍ଵାର୍ଡ ବଏଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ସଙ୍ଗୀତାଙ୍କ ସ୍ୱାମୀ ଧର୍ମେନ୍ଦ୍ରଙ୍କ କହିବାନୁସାରେ, ମୋ ସ୍ତ୍ରୀ ଅର୍ଥପେଡିକ୍ ଓ୍ଵାର୍ଡରେ ଭର୍ତ୍ତି ଥିଲା। ସଙ୍ଗୀତା ଗୋଡର ଏକ୍ସ-ରେ ପାଇଁ ଷ୍ଟ୍ରେଚର ଆବଶ୍ୟକତା ପଡ଼ିଥିଲା। ହସ୍ପିଟାଲ୍ରେ ଷ୍ଟ୍ରେଚର କମ୍ ଥିବା କୁହାଯାଇଥିଲା। ତେଣୁ ଗୋଟିଏ ଷ୍ଟ୍ରେଚରରେ ଅନ୍ୟ ଜଣେ ଅଚିହ୍ନା ରୋଗୀଙ୍କ ସହିତ ମୋର ପତ୍ନୀକୁ ଶୁଆଇ ଏକ୍ସ-ରେରୁମ୍ ପର୍ଯ୍ୟନ୍ତ ନିଆ ଯାଇଥିଲା। ମୋତେ ଏସବୁ ଦେଖି ଅସ୍ୱାଭାବିକ ଲାଗିଥିଲା। କିନ୍ତୁ ମୁଁ ଚାହିଁକି ବି କିଛି କରି ପାରି ନଥିଲି।