ତେଲେଙ୍ଗନାରେ ବର୍ବର କାଣ୍ଡ: ଯୁବକଙ୍କ ମୁଣ୍ଡ କାଟି ମା’ କାଳିଙ୍କ ଚରଣରେ ଫିଙ୍ଗିଲେ ଦୁର୍ବୃତ୍ତ

ହାଇଦ୍ରାବାଦ: ତେଲେଙ୍ଗନାରେ ବର୍ବର କାଣ୍ଡ। ଯୁବକଙ୍କ ମୁଣ୍ଡ କାଟି ମା’ କାଳିଙ୍କ ଚରଣରେ ଫିଙ୍ଗିଲେ ଦୁର୍ବୃତ୍ତ। ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଏହି ଛତିଥରା ଘଟଣା ଘଟିଥିବା ବେଳେ କଟା ମୁଣ୍ଡକୁ ଧରି ତଦନ୍ତ ଆରମ୍ଭ କରିଛି ପୁଲିସ। ବଳି ଦେବା ଉଦ୍ଦେଶ୍ୟରେ କି ଏହି ହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି, ତାହାର କାରଣ ଖୋଜୁଛି ପୁଲିସ।

ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ କହିବା ମୁତାବକ, ମନ୍ଦିରକୁ ପୂଜା କରିବାକୁ ଆସିବା ପରେ ପୂଜାରୀ କଟା ମୁଣ୍ଡ ଦେଖି ପୁଲିସକୁ ସୂଚନା ଦେଇଥିଲେ। ମୃତ ଯୁବକଙ୍କ ବୟସ ୩୦ଭିତରେ ହେବ ବୋଲି ଜଣାପଡ଼ୁଛି। ଅନ୍ୟ କେଉଁଠି ହତ୍ୟା କରିବା ପରେ କଟା ମୁଣ୍ଡକୁ ଆଣି ମା’ କାଳିଙ୍କ ଚରଣରେ ରଖିଦିଆଯାଇଛି। ମୃତକର ବାକି ଶରୀର ଏପର୍ଯ୍ୟନ୍ତ ମିଳିପାରିନାହିଁ। କେଉଁଠି ଓ କେମିତି ଯୁବକଙ୍କୁ ହତ୍ୟା କରାଗଲା ଏବଂ ହତ୍ୟା ପଛର କାରଣ କ’ଣ, ତାହା ଜଣାପଡ଼ିନାହିଁ। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଦେଖି ତଦନ୍ତ କରାଯାଉଛି।

ଏ ମଧ୍ୟରେ ନିକଟସ୍ଥ ସୁର୍ଯ୍ୟପେଟର ଏକ ପରିବାର ପୁଲିସ ସହ ଯୋଗାଯୋଗ କରି କହିଛନ୍ତି ଯେ, ପ୍ରାୟ ଦୁଇ ବର୍ଷ ପୂର୍ବେ ଘରୁ ପଳାଇଯାଇଥିବା ୩୦ବର୍ଷ ବୟସ୍କ ମାନସିକ ବିକୃତ ବ୍ୟକ୍ତିଙ୍କ ସହିତ ମୃତ ବ୍ୟକ୍ତିଙ୍କ ମୁହଁ ମେଳ ଖାଉଛି। ତେବେ ମୃତ ବ୍ୟକ୍ତିଜଣକ ‌ସିଏ କି ନାହିଁ, ସେନେଇ ଖୋଳତାଡ଼ କରୁଛି ପୁଲିସ।

ସମ୍ବନ୍ଧିତ ଖବର