ଭୁବନେଶ୍ବର : ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ମାର୍କଫେଡ୍‌ର ଅଡିଟରଙ୍କୁ ଗିରଫ କରିଛି। ତାଙ୍କ ନାଁ ସୋମନାଥ ଶତପଥୀ। ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବିରେଶ୍ବରପୁରରେ। ଏଠାରେ କଟକରୋଡରେ ଥିବା ମାର୍କଫେଡ୍‌ କାର୍ଯ୍ୟାଳୟରେ ସେ ଅଡିଟର ଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରେ ସୋମନାଥଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରିବା ଆରମ୍ଭ କରିଛି ଭିଜିଲାନ୍ସ।

Advertisment

ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ସୋମନାଥ କିଛି ଦିନ ତଳେ ବେତନଟୀ ମାର୍କଫେଡ୍‌କୁ ଅଡିଟ କରିବାକୁ ଯାଇଥିଲେ। ସେଠା‌ରୁ ଆଣିଥିବା ଅଡିଟ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିଥାନ୍ତେ। କିନ୍ତୁ ତାଙ୍କ ରିପୋର୍ଟ ମାର୍କଫେଡ୍‌ର ମାର୍କେଟିଂ ଇନଚାର୍ଜଙ୍କ ବିରୋଧରେ ଯାଉଥିଲା। ଏଥିପାଇଁ ସେ ବିଭିନ୍ନ ସମୟରେ ମାର୍କେଟିଂ ଇନଚାର୍ଜଙ୍କୁ ଲାଞ୍ଚ ମାଗୁଥିଲେ। ଏ ନେଇ ମାର୍କେଟିଂ ଇନଚାର୍ଜ ରବୀନ୍ଦ୍ର କୁମାର ମିଶ୍ର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ରବୀନ୍ଦ୍ରଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମନାଥଙ୍କୁ ଭିଜିଲାନ୍ସ କାବୁ କରିଥିଲା। ପରେ ସୋମନାଥଙ୍କ ପୈତୃକ ବାସଭବନ, ଭୁବନେଶ୍ବର ଘର ସମେତ ଅନ୍ୟ କେତେକ ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଯଦି ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ଜଣାପଡେ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରାଯିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।