ଘଡ଼ଘଡ଼ି ଶବ୍ଦ ଶୁଣି ବର ଚମକି ପଡ଼ିବାରୁ ଅଧା ବାହାଘରରୁ ବାହା ହେବାକୁ ମନା କଲେ କନ୍ୟା

ବୈଶାଳୀ: ବିହାରର ବୈଶାଳୀ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜିଲ୍ଳାର ସୋନପୁରସ୍ଥିତ ଡେରନି ଥାନାରେ ମଙ୍ଗଳବାର ବିବାହ ପାଇଁ ବରଯାତ୍ରୀ ଆସି ପହଞ୍ଚିଥିଲେ। ବିବାହ ହିନ୍ଦୁ ରୀତି ଅନୁସାରେ ଆରମ୍ଭ ହୋଇଥିଲା। ବର ବଧୂର ମଥାରେ ସିନ୍ଦୂର ବି ଭରି ସାରିଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ଆକାଶପଥରୁ ଘଡ଼ଘଡ଼ି ଶବ୍ଦ ସହ ଚକ୍‌ମକ୍‌ ବିଜୁଳି ମାରିବା ଆରମ୍ଭ ହୋଇଥିଲା।

ବିଜୁଳି-ଘଡ଼ଘଡ଼ି ଶବ୍ଦ ଶୁଣି ବର ଜଣକ ଅଦ୍ଭୂତ ଭାବେ ଭୟଭୀତ ହୋଇ କମ୍ପିବାରେ ଲାଗିଥିଲେ। ବରକୁ ଏଭଳି ଅବସ୍ଥାରେ ଦେଖିବା ପରେ ବେଦୀ ଉପରେ ବସିଥିବା କନ୍ୟା ଅଧା ବାହାଘରରୁ ବିଭା ହେବା ପାଇଁ ମନା କରିଦେଲେ। ଏହି କଥାକୁ ନେଉ ଉଭୟ ବର ଓ କନ୍ୟା ପକ୍ଷରୁ କଥା କଟାକଟି ବି ହେବାକୁ ଲାଗିଲା। କନ୍ୟା ପକ୍ଷର ଲୋକ ବର ପକ୍ଷର ଲୋକଙ୍କୁ ଦେଇଥିବା ଯୌତୁକ ରାଶି ଫେରାଇବାକୁ ଦାବି କଲେ।

ଗଣ୍ଡଗୋଳ ବଢ଼ିଯିବାରୁ ଖବର ପାଇ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ମୀମାଂସା କରିବାକୁ ପହଞ୍ଚିଥିବା ପୁଲିସ୍‌କୁ ବି ବଧୂପକ୍ଷ ଲୋକ ବାନ୍ଧି ପକାଇଥିଲେ। କିଛି ଲୋକ ପୁଲିସ୍‌ ଜିପ୍‌କୁ ମଧ୍ୟ ଟେକାପଥର ମାରିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ବଧୂପକ୍ଷର ଲୋକ ହିଁ ପୁଲିସ୍‌ ଉପରେ ଆକ୍ରମଣ କରିଥିଲେ। ପୁଲିସ୍‌ ଗିରଫ କରିଥିବା ୩ ଜଣ ବି ବଧୂପକ୍ଷର ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର