ବେଙ୍ଗାଲୁରୁ: ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କରି ଜୀବନ ହାରିଲା ଅଭିଯୁକ୍ତ। ଘଟଣାଟି ଘଟିଛି କର୍ଣ୍ଣାଟକର ବେଲଗବିରେ। କିଛି ବର୍ଷ ହେବ ଅଭିଯୁକ୍ତ, ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା। ମୃତକଙ୍କ ନାମ ଐଶ୍ବର୍ଯ୍ୟା ମହେଶ ଲୋହାର(୨୦) ଓ ପ୍ରଶାନ୍ତ କୁନ୍ଦେକର(୨୯) ବୋଲି ଜଣାପଡ଼ିଛି।
ପୁଲିସ୍ କହିଛି ଯେ, ଅଭିଯୁକ୍ତ ବେଲଗବୀ ତାଲୁକର ୟେଲୁର ଗାଁର ବାସିନ୍ଦା ଥିଲା। ସେ ଐଶ୍ୱର୍ଯ୍ୟାକୁ ଭଲ ପାଉଥିଲା ଏବଂ ଏକ ବର୍ଷରୁ ଅଧିକ ସମୟ ଧରି ବିବାହ କରିବା ପାଇଁ ତାଙ୍କ ପିଛା କରୁଥିଲା। ରଙ୍ଗମିସ୍ତ୍ରୀ ଭାବରେ କାମ କରୁଥିବା ପ୍ରଶାନ୍ତ ପୂର୍ବରୁ ବିବାହ କରିବାକୁ ଚାହୁଁଥିବା ନେଇ ଐଶ୍ବର୍ଯ୍ୟାଙ୍କ ମାଆଙ୍କୁ ଜଣାଇଥିଲା। କିନ୍ତୁ, ତାଙ୍କ ମାଆ ତାଙ୍କୁ ପ୍ରଥମେ ଆର୍ଥିକ ଭାବରେ ସ୍ବଚ୍ଛଳ ହେବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ମଙ୍ଗଳବାର ସକାଳେ ପ୍ରଶାନ୍ତ ଏକ ବିଷ ବୋତଲ ନେଇ ଐଶ୍ୱର୍ଯ୍ୟାଙ୍କ ମାଉସୀଙ୍କ ଘରେ ପହଞ୍ଚିଥିଲା। ସେ ପୁଣି ଥରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଯେତେବେଳେ ଐଶ୍ୱର୍ଯ୍ୟା ମନା କରିଥିଲେ, ସେ ତାଙ୍କୁ ବିଷ ପିଆଇବାକୁ ଚେଷ୍ଟା କରିଥିଲା। ଐଶ୍ୱର୍ଯ୍ୟା ପ୍ରତିରୋଧ କରିବାରୁ ପ୍ରଶାନ୍ତ ତାଙ୍କ ପକେଟରୁ ଏକ ଛୁରୀ ବାହାର କରି ତାଙ୍କ ଗଳା କାଟି ଦେଇଥିଲା। ଐଶ୍ୱର୍ଯ୍ୟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ପରେ ପ୍ରଶାସ୍ତ ନିଜ ଗଳା କାଟି ଜୀବନ ହାରିଥିଲା।