ଭୋପାଳ: ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଏକ ପ୍ରେମୀଯୁଗଳଙ୍କୁ ଲୋକେ ତାଲିବାନୀ ତରିକାରେ ଦଣ୍ଡ ଦେଇଛନ୍ତି। ପ୍ରେମୀଙ୍କ ବେକରେ ଜୋତା-ଚପଲ ହାର ଝୁଲାଇ ବୁଲାଇଥିବା ବେଳେ ପ୍ରେମିକାଙ୍କ କାନ୍ଧରେ ତାଙ୍କ ସ୍ବାମୀଙ୍କୁ ବସାଇ ବୁଲାଇଛନ୍ତି। ଘଟଣାଟି ଘଟିଛି ଆଦିବାସୀ ବହୁଳ ଉଦୟନଗରର ବୋରପଡ଼ା ଗାଁର। ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ଭାଇରାଲ୍ ହେବା ପରେ ଲୋକେ ଏହାକୁ ତାଲିବାନୀ ଦଣ୍ଡ ବୋଲି ମତ ରଖିଛନ୍ତି।
ସୂଚନାରୁ ଜାଣିବାକୁ ମିଳିଛି ଯେ ପରକୀୟା ପ୍ରୀତିରେ ଜଡ଼ିତ ଥିବା ମହିଳା ଜଣକ ଜୁନ୍ ୨୪ ତାରିଖରେ ନିଜ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ମହିଳାଙ୍କ ସ୍ବାମୀ ତାଙ୍କୁ ଅନେକ ଜାଗା ଖୋଜିଲେ ମାତ୍ର ପାଇଲେ ନାହିଁ। ମହିଳା ଜଣକ ନିଖୋଜ ବୋଲି ତାଙ୍କ ସ୍ବାମୀ ଉଦୟନଗର ଥାନାରେ ରିପୋର୍ଟ ଲେଖାଇଲେ। ପୁଲିସ୍ ଛାନ୍ଭିନ୍ କରିବାରୁ ଜଣାପଡ଼ିଲା ଯେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଘର ଛାଡ଼ି ଗାଁରେ ହରି ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହୁଛନ୍ତି। ହରି ସିଂହଙ୍କ ସହ ମହିଳାଙ୍କ ପ୍ରେମ ସଂପର୍କ ଥିବା ସ୍ପଷ୍ଟ ହୋଇଛି।
ଏହି କଥାକୁ ନେଇ ରାଗରେ ଆସି ଗାଁ ଲୋକ ଉଭୟ ମହିଳା ଓ ହରି ସିଂହଙ୍କୁ ଘର ବାହାରକୁ ଆଣି ଏପରି ଦଣ୍ଡ ଦେଇଛନ୍ତି। ପ୍ରଥମେ ୨ ଜଣଙ୍କୁ ଖୁବ୍ ମାଡ଼ ମାରିଥିଲେ। ପୁଣି ମହିଳାଙ୍କ କାନ୍ଧରେ ତାଙ୍କ ସ୍ବାମୀଙ୍କୁ ବସାଇ ଗାଁ ବୁଲାଇଥିଲେ ଓ ତାଙ୍କ ପ୍ରେମୀଙ୍କ ଗଳାରେ ଜୋତା ହାର ପିନ୍ଧାଇ ତାଙ୍କୁ ବି ଗାଁ ବୁଲାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।