ବିବାହ କରିବାକୁ ମନା କରୁଥିବା ନୂଆ ପ୍ରେମିକକୁ ପୂର୍ବ ପ୍ରେମିକଙ୍କ ସହ ମିଶି ହତ୍ୟା କଲେ ବିବାହିତା ମହିଳା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜଣେ ଯୁବକଙ୍କୁ ଅପହରଣ କରି ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶୁକ୍ରବାର ଦିନ ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତ ୨୫ ବର୍ଷିୟ ଅଜୟ କର ଗତ କେତେ ମାସ ହେବ ଜଣେ ମହିଳାଙ୍କ ସହ ପରକୀୟ ପ୍ରୀତିରେ ମାତିଥିଲେ।

ଅଶୋକନଗର ଥାନାର ଜଣେ ଅଧିକାରୀଙ୍କ କହିବାନୁସାରେ, ସାକ୍ଷୀ ଚକ୍ରବର୍ତ୍ତୀ ନାମ୍ନୀ ଜଣେ ଗୃହିଣୀ ଏବଂ ତାଙ୍କର ପ୍ରେମିକ ବିଶ୍ୱଜିତଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶୋକ ନଗର ଠାରେ ଜଣେ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ନିହତ ଯୁବକଙ୍କୁ ସେ ପୂର୍ବରୁ ଚିହ୍ନିଥିଲେ।

କର୍‌ ସକାଳୁ ନିରୁଦ୍ଦେଶ ହୋଇଥିବା କଥା ତାଙ୍କ ପରିବାର ସଦସ୍ୟମାନେ ଅଭିଯୋଗ କରିବା ପରେ ବୁଧବାର ଦିନ କଥା ଲୋକଲୋଚନକୁ ଆସିଥିଲା। ତାଙ୍କର ଶବ ବୁଧବାର ରାତିରେ ମିଳିଥିଲା ବୋଲି ପୁଲିସ କହୁଛି।

କର୍‌ଙ୍କ ପରିବାର ସଦସ୍ୟମାନେ ଦାବି କରିଛନ୍ତି ଯେ ସାକ୍ଷୀଙ୍କ ବିବାହ ପ୍ରସ୍ତାବ ଗ୍ରହଣ ନ କରିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଯାଇଥିଲା। ସାକ୍ଷୀ ତାଙ୍କୁ ଅପହରଣ କରାଇ ନିଜ ପ୍ରେମିକଙ୍କ ଦ୍ୱାରା ହତ୍ୟା କରାଇଥିଲା।

ଥାନା ଆଗରେ ଶବ ରଖି ଉଭୟଙ୍କୁ ଗିରଫ କରିବାକୁ ଦାବି କରି ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କର୍‌ଙ୍କ ମାଆ କହନ୍ତି: ସାକ୍ଷୀ ମୋ ପୁଅକୁ ବାହା ହେବାକୁ କହିଲା କିନ୍ତୁ ଏ ମନା କରିଥିଲା। ସାକ୍ଷୀର ଆଉ ଜଣଙ୍କ ସହ ମଧ୍ୟ ଅବୈଧ ସମ୍ପର୍କ ଥିଲା। ଆମର ସନ୍ଦେହ ଉଭୟ ମିଶି ମୋ ପୁଅକୁ ମାରି ଦେଇଛନ୍ତି।

ମୃତ ଯୁବକଙ୍କ ପରିବାର ଦେଇଥିବା ଏତଲାକୁ ଆଧାର କରି ଉଭୟଙ୍କୁ ଗିରଫ କରାଯାଇଛି। ମୃତ୍ୟୁର କାରଣ ନିର୍ଦ୍ଧାରଣ କରିବାକୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର