ଦୁଷ୍କର୍ମ ପୀଡ଼ିତାଙ୍କୁ ଗଙ୍ଗାରେ ସ୍ନାନ କରି ୫ ଲକ୍ଷ ଟଙ୍କା ଜରିମାନା ଦିଅ ବୋଲି କହିଲା ପଞ୍ଚାୟତ, ଉଚିତ୍‌ ନ୍ୟାୟ ନ ପାଇ ବିଷ ପିଇଲେ ପୀଡ଼ିତା

ଗଢ଼ଓ୍ଵା(ଝାରଖଣ୍ଡ) : ଝାରଖଣ୍ଡର ଗଢ଼ଓ୍ଵା ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିବା ଉଦ୍ୟମ କରିଥିବା ଖବର ମିଳିଛି । ପଞ୍ଚାୟତଠାରୁ ଉଚିତ୍‌ ନ୍ୟାୟ ନ ପାଇ ପୀଡ଼ିତା ଏପରି କରିଥିବା ସୂଚନା ରହିଛିି । ଦେଢ଼ ମାସ ତଳେ ଗାଁର ଜଣେ ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଯାହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜେଲ୍‌ ପଠାଇଥିଲେ । କିନ୍ତୁ ପଞ୍ଚାୟତ ପୀଡ଼ିତାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କୁ ଅଜବ ଆଦେଶ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଗଙ୍ଗା ସ୍ନାନ କରି ସବୁ ଗାଁ ଲୋକଙ୍କୁ ଖାଇବାକୁ ଦିଅ ଏବଂ ଜରିମାନା ଆକାରରେ ୫ଲକ୍ଷ ଟଙ୍କା ଦେବା ପାଇଁ ପଞ୍ଚାୟତ ତରଫରୁ ପୀଡ଼ିତାଙ୍କୁ ଆଦେଶ ଦିଆ ଯାଇଥିଲା । ଯାହା ପରେ ଅବସାଦଗ୍ରସ୍ତ ହୋଇ ପୀଡ଼ିତା ବିଷ ପିଇ ଦେଇଥିଲେ । ପରିବାର ଲୋକେ ଠିକ୍‌ ସମୟରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେଇ ପହଞ୍ଚିଥିବା ବେଳେ ତାଙ୍କ ଜୀବନ ବଞ୍ଚି ପାରିଥିଲା ।

NDTV.com

ଏ ନେଇ ପଞ୍ଚାୟତକୁ ପଚରାଯିବା ପରେ ପଞ୍ଚାୟତର ସଦସ୍ୟ ଭିନ୍ନ ମତ ରଖିଥିଲେ । ପୀଡ଼ିତାଙ୍କ ସ୍ୱାମୀ ବାହାରେ ରହୁଥିବାରୁ ସେ ଗାଁର ଯୁବକ ଅଫ୍‌ଜଲଙ୍କ ସହ ଅବୈଧ ସଂପର୍କ ରଖୁଥିଲେ । ଥରେ ଧରା ପଡ଼ିବା ପରେ ପୀଡ଼ିତା ଅଫ୍‌ଜଲଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ ଓ ପୁଲିସ ଅଫ୍‌ଜଲଙ୍କୁ ଗିରଫ କରିଥିଲା । ସ୍ୱାମୀ ଥାଉ ଥାଉ ଅନ୍ୟ ପୁରୁଷ ସହ ଅବୈଧ ସଂପର୍କ ରଖୁଥିବାରୁ ପଞ୍ଚାୟତ ତରଫରୁ ଗଙ୍ଗା ସ୍ନାନ କରିବାକୁ କୁହାଯାଇଥିଲା ବୋଲି ପଞ୍ଚାୟତର ସଦସ୍ୟ କହିଛନ୍ତି । ୫ଲକ୍ଷ ଜରିମାନା ଦେବା କଥାକୁ ସଂପୂର୍ଣ୍ଣ ମିଛ ବୋଲି ପଞ୍ଚାୟତର ସଦସ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର