ସରଦେଇପୁର ଡକାୟତି ମାମଲା: ଜେଲ୍‌ ଗଲା ମାଷ୍ଟରମାଇଣ୍ଡ ଟେରୁ

ଧଉଳି: ଧଉଳି ଥାନା ଅନ୍ତର୍ଗତ ସରଦେଇପୁର ଡାକବଙ୍ଗଳା ନିକଟରେ ଗତ ୫ ମାସ ତଳେ ହୋଇଥିବା ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ସୁଶାନ୍ତ ରାଉତ ଓରଫ ଟେରୁକୁ ଏହି ଥାନା (୩୦) ପୁଲିସ ଦିନିକିଆ ରିମାଣ୍ଡରେ ଆଣି ଆଜି ଅପରାହ୍ଣରେ ପୁଣି ଜେଲ୍‌ ହାଜତକୁ ପଠାଇ ଦେଇଛି। ଦୀର୍ଘ ୨୪ ଘଣ୍ଟାଧରି ପୁଲିସ ଟେରୁକୁ ପର୍ଯ୍ୟାୟକ୍ରମେ ପଚରାଉଚରା କରି ତା’ ନିକଟରୁ ଅଧିକ ତଥ୍ୟ ହାସଲ କରିଛି। ଟେରୁ ନାମରେ ବିଭିନ୍ନ ଥାନାରେ ଏକାଧିକ ଡକାୟତି ଓ ଛିନ୍‌ତାଇ ଭଳି ମାମଲା ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ କହିବାନୁଯାୟୀ ଗତ ଜାନୁଆରି ମାସରେ ଉକ୍ତ ସ୍ଥାନରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ଏହି ୬ ଜଣିଆ ଗ୍ୟାଙ୍ଗ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କଠାରୁ ୭୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। କର୍ମଚାରୀଙ୍କ ଅଭିଯୋଗକୁ ଆଧାର କରି ଥାନା କେସ୍‌ ନମ୍ବର ୧୪/୧୮ ରେ ଏକ ଡକାୟତି ମାମଲା ରୁଜୁ କରି ଧଉଳି ପୁଲିସ ପୂର୍ବରୁ ୩ ଜଣ ଡକାୟତଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ହେଲେ ମାଷ୍ଟରମାଇଣ୍ଡ ଟେରୁ କିନ୍ତୁ ଧରାପଡ଼ି ନଥିଲା। ମାତ୍ର ଅନ୍ୟ ଏକ ଡକାୟତି ଘଟଣାରେ ଟେରୁକୁ ଇନଫୋସିସ୍‌ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପୂର୍ବାହ୍ନରେ ପୁଲିସ ଟେରୁକୁ ରିମାଣ୍ଡରେ ଆଣିଥିଲା। ଘଟଣାରେ ସଂପୃକ୍ତ ଆଉ ତିନିଜଣ ଡକାୟତ ଏବେ ସୁଦ୍ଧା ଫେରାର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର