ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ରହି ଯାଇଥିଲା ତୁଳା, ୨ମାସ ପରେ ହେଲା ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାରୀ ହସ୍ପିଟାଲରୁ ଡାକ୍ତରଙ୍କ ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ସିଜେରିଆନ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରେ ତୁଳା ରହି ଯାଇଥିଲା। ଦୁଇମାସ ପରେ ଏହା ଜଣାପଡ଼ିବା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ସଂଗ୍ରାମପୁର ତହସିଲର କବଠଲରେ ବସବାସ କରୁଥିବା ପୂଜା ପାଖରେଙ୍କୁ ପ୍ରସୂତି ପାଇଁ ୭ଏପ୍ରିଲକୁ ଖାମଗ୍ରାମ ଉପ-ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନର୍ମାଲ ଡେଲିଭରି ହୋଇ ନପାରିବାରୁ ପୂଜାଙ୍କ ସିଜେରିଆନ ଅସ୍ତ୍ରୋପଚାର କରାଯାଇ ସନ୍ତାନ ପ୍ରସବ ହୋଇଥିଲା।

ଡେଲିଭରିର ୪ରୁ ୫ଦିନ ପରେ ପୂଜାଙ୍କୁ ପେଟରେ ଯନ୍ତ୍ରଣା ହେଇଥିଲା। ଏହାପରେ ଏପ୍ରିଲ ୧୧ରେ ଅକୋଲାର ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥାରେ ସୁଧାର ଆସିବା ପରେ ଏପ୍ରିଲ ୧୯ରେ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା। ପୁଣିଥରେ ଜୁନ ୧୦ରେ ସେଭଳି ପେଟର ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା।

Buldana alleged case of medical negligence

ଏହାପରେ ପରିବାରଲୋକ ଖାମଗ୍ରାମର ଡାକ୍ତର ଅରବିନ୍ଦ ପାଟିଲ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସୋନୋଗ୍ରାଫି କରିବାରୁ ପୂଜାଙ୍କ ପେଟରେ କିଛି ଥିବା ଚିହ୍ନଟ ହୋଇଥିଲା। ଏହାପରେ ପୂଜା ତାଙ୍କ ବାପା ଘରକୁ ଚାଲି ଯାଇଥିଲେ। ସେଠାରେ ଶରଦ କାଲେ ନାମକ ଡାକ୍ତର ପୂଜାଙ୍କ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ପ୍ରସବ ସମୟରେ ଡାକ୍ତର ଛାଡ଼ି ଦେଇଥିବା ବ୍ୟାଣ୍ଡେଜ/ତୁଳା ବାହାର କରିଥିଲେ। ତେବେ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ପୂଜାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର