ସମ୍ପତ୍ତି ପାଇଁ ସଂପର୍କକୁ ଭୁଲିଗଲେ: ବିଚ୍ ରାସ୍ତାରେ ପୁତୁରାକୁ ହାଣିଲେ ୩ଜଣ ଦାଦା

ମିରଟ: ଦିନକୁ ଦିନ ମଣିଷ ଭିତରେ ହଜିଯାଉଛି ମାନବିକତା । ବଦଳୁଛି ଚିନ୍ତାଧାରା । ନିଜ ସ୍ୱାର୍ଥ ପାଇଁ ମଣିଷ ବୁଝୁନି ସମ୍ପର୍କର ମୂଲ୍ୟବୋଧ । ପ୍ରତିଟି ମୁହୂର୍ତ୍ତରେ ଆପଣ ଗଣମାଧ୍ୟମରେ ଦେଖିବାକୁ ପାଉଥିବେ ହିଂସାର ବିକଟାଳ ଚିତ୍ର । ଏମିତି ଏକ ସାଙ୍ଘାତିକ ଚିତ୍ର ଆସିଛି ଉତ୍ତରପ୍ରଦେଶର ମିରଟ ସହରରୁ । ଦାଦା ପୁତୁରା ସମ୍ପର୍କରେ ଲାଗିଛି ଦାଗ । ସମ୍ପତ୍ତି ପାଇଁ ନିଜ ପୁତୁରାକୁ ହତ୍ୟା କରିଛନ୍ତି ତିନି ଦାଦା । ବିଚ୍ ରାସ୍ତାରେ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣିହାଣି ପୁତୁରାକୁ ୩ ଦାଦା ହତ୍ୟା କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୃତକଜଣକ ସାଜିଦ ବୋଲି ଚିହ୍ନଟ କରାଯାଇଛି। ଗତ ରବିବାର ଦିନ ୨ଟାବେଳେ ଭିଡ଼ ବଜାର ଭିତରେ ଘଟିଛି ଏଭଳି ଛତିଥରାଇ ଦେଲା ଭଳି ହତ୍ୟାକାଣ୍ଡ।

ମିଳିଥିବା ସୂଚନା ମୁତାବକ, ଇଦ୍ ପର୍ବ ପାଖେଇ ଆସୁଥିବାରୁ ମିରଟ ସହର ଏକ ପ୍ରକାର ଚଳଚଞ୍ଚଳ ଥିଲା । ଇଦ୍ ପର୍ବ ପାଇଁ ଲୋକମାନେ କିଣାକିଣି କରିବାରେ ବ୍ୟସ୍ତ ଥିବାବେଳେ ଏଭଳି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ମିରଟ ସହରରେ ରହୁଥିବା ସାଜିଦଙ୍କୁ ତା’ର ତିନି ଜଣ ଦାଦା ହତ୍ୟା କରିବାର ଗୋଟିଏ ରାତି ପୂର୍ବରୁ ସବୁ ଯୋଜନା କରିଥିଲେ ବୋଲି କୁହାଯାଉଛି।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ପ୍ରଥମେ ସାଜିଦକୁ ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ତଳେ ପକାଇ ଦେଇଥିଲେ ତା’ର ୩ଜଣ ଦାଦା। ଏହା ପରେ ଜଣେ ସାଜିଦଙ୍କ ଗୋଡ଼କୁ ଧରିଥିବା ବେଳେ ଆଉ ଜଣେ ତାଙ୍କର ହାତକୁ ଜାବୁଡ଼ି ଧରିଥିଲେ। ଅନ୍ୟ ଜଣେ ଦାଦା ଧାରୁଆ ଅସ୍ତ୍ରରେ ସାଜିଦଙ୍କ ଛାତିକୁ ବାରମ୍ବାର ଆକ୍ରମଣ କରିଥିଲେ । ସାଜିଦ ଛଟପଟ ହେଉଥିବା ଦେଖି ସେମାନେ ଘଟଣାସ୍ଥଳରୁ ଚାଲିଯାଉଥିବା ବେଳେ ସାଜିଦ ଉଠିବସିବାର ଦେଖି ମୁଖ୍ୟ ଅଭିଯୁକ୍ତ ପୁଣି ଥରେ ଫେରିଆସି ତାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ସାଜିଦ ଆଉ ଉଠିନଥିଲେ।  ପାଖାପାଖି ୧.୫ ରୁ ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇଁ ସାଜିଦଙ୍କୁ ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସିଛି । ବିଡ଼ମ୍ବନାର ବିଷୟ ହେଉଛି ଯେ, ସାଜିଦକୁ ଜନଗହଳିପୂର୍ଣ୍ଣ ରାସ୍ତାରେ ଆକ୍ରମଣ କରାଯାଇଥିଲେ ବି କେହି ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ।

ସମ୍ବନ୍ଧିତ ଖବର