ମିରଟ: ୟୁପିର ମିରଟରେ ସ୍ୱାମୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁସ୍କାନଙ୍କ ବାପାଙ୍କ ବୟାନ ସାମ୍ନାକୁ ଆସିଛି। ମୁସ୍କାନଙ୍କ ବାପା ପ୍ରମୋଦ ରସ୍ତୋଗୀ କହିଛନ୍ତି ଯେ, ଘଟଣା ପରେ ମୁସ୍କାନ କାନ୍ଦୁଥିଲେ ଏବଂ ବହୁତ ବିରକ୍ତ ହେଉଥିଲେ। ଯେତେବେଳେ ସେ ବାହାରୁ ଆସିଲେ, ସେ ଆମକୁ ଘଟଣା ବିଷୟରେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ 'ସାହିଲ କହୁଥିଲେ ଯେ ସୌରଭ ଆମକୁ ଡ୍ରଗ୍ସ ସେବନ କରିବାକୁ ଦେବେ ନାହିଁ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ପଡିବ।' ମୁଁ ଡ୍ରଗ୍ସ ବିନା ବଞ୍ଚିପାରିବି ନାହିଁ।
ପ୍ରମୋଦ ରସ୍ତୋଗୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଝିଅ ଭୁଲ କରିଛି। ସେ ବଞ୍ଚିବାର ଅଧିକାର ହରାଇଛି। ତାଙ୍କୁ ଫାଶୀ ଦିଆଯିବା ଉଚିତ। ଜ୍ୱାଇଁ ସୌରଭ ଆମ ପୁଅ ପରି ଥିଲେ। ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯାଉ। ଅନ୍ୟପକ୍ଷରେ ମୁସ୍କାନଙ୍କ ମାଆ କବିତା କହିଛନ୍ତି ଯେ ସାହିଲ ତାଙ୍କ ଝିଅର ପିଲାଦିନର ବନ୍ଧୁ। ଦୁହେଁ ଏକାଠି ପଢ଼ୁଥିଲେ। ହେଲେ ସେମାନେ ମଝିରେ ଅଲଗା ହୋଇଯାଇଥିଲେ। କିନ୍ତୁ ୨୦୧୯ରେ ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ପୁଣି ନିକଟତର ହୋଇଥିଲେ। ଦୁହେଁ କଥା ହେଉଥିଲେ, ସୌରଭ ଏହା ଜାଣିଥିଲେ। ଏହାକୁ ନେଇ ଏକ ବିବାଦ ମଧ୍ୟ ହୋଇଥିଲା। ସୌରଭ ଲଣ୍ଡନରୁ ହିଁ ମୁସ୍କାନ ଉପରେ ନଜର ରଖିବା ଆରମ୍ଭ କରିଥିଲେ।
ଉଲ୍ଲେଖଯୋଗ୍ୟ, ମିରଟର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ, ମୁସ୍କାନର ପ୍ରେମ ପାଇଁ, ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କର ତାଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।
୨୦୧୯ ମସିହାରେ, ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ମୁସ୍କାନଙ୍କର, ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ଝିଅର ଜନ୍ମଦିନ ପାଇଁ ସେ ଫେରିବା ପରେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ରେ ତାଙ୍କୁ ରାସ୍ତାରୁ ହଟାଇଥିଲେ। ପ୍ରାୟ ୧୪ଦିନ ପରେ ଡ୍ରମରେ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି ସିଲ୍ କରାଯାଇଥିବା ଜଣାପଡ଼ିଥିଲା।