ମିରଟ: ମିରଟର ମର୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟା ସାମ୍ନାକୁ ଆସୁଛି।
ତଦନ୍ତରୁ ଜଣାପଡ଼ିଛି ମୁସ୍କାନ ରସ୍ତୋଗୀଙ୍କ ପ୍ରେମିକ ସାହିଲ ଶୁକ୍ଲା ନିଶା ସେବନ କରିବା ସହିତ ଜୁଆ ବି ଖେଳିଥାଆନ୍ତି। ସୌରଭ ରାଜପୁତ ତାଙ୍କ ଝିଅର ଖର୍ଚ୍ଚ ପାଇଁ ସ୍ତ୍ରୀ ମୁସ୍କାନଙ୍କୁ ଯେଉଁ ଟଙ୍କା ପଠାଉଥିଲେ,ସାହିଲ ସେହି ଟଙ୍କାକୁ ନେଇ ଜୁଆ ଖେଳରେ ଲଗାଉଥିଲେ।
ଏମିତି କି ସାହିଲ ମୁସ୍କାନଙ୍କ ଟଙ୍କା ବ୍ୟବହାର କରି କ୍ରିକେଟ ମ୍ୟାଚ୍ ଉପରେ ବାଜି ଲଗାଇଥାଆନ୍ତି। ଜିତିଥିବା ଟଙ୍କା କିଛି ମୁସ୍କାନଙ୍କୁ ଦେଇ ଆଉ କିଛି ଟଙ୍କା ନିଜ ପାଖରେ ରଖୁଥିଲେ। ସାହିଲ କିଛି ବର୍ଷ ଧରି ଆଇପିଏଲ ମ୍ୟାଚ୍ ଉପରେ ବେଟିଂ କରୁଥିଲେ ଏବଂ ଗିରଫ ହେବା ପୂର୍ବରୁ ଚଳିତ ସିଜିନର ଆଇପିଏଲ ମ୍ୟାଚ୍ ପାଇଁ ଅଧିକ ଟଙ୍କା ବେଟିଂ କରିବାର ଯୋଜନା ରଖିଥିଲେ।
ପୁଲିସ ସୂତରୁ ପ୍ରକାଶ, ସାହିଲ ତାଙ୍କର ଜୁଆ ରୋଜଗାରରେ ମୁସ୍କାନ ସହିତ ଋଷିକେଶ ଏବଂ ଡେରାଡୁନକୁ ଅନେକଥର ଯାତ୍ରା କରିଛନ୍ତି। ସୌରଭ ରାଜପୁତ ତାଙ୍କ ଝିଅର ଖର୍ଚ୍ଚ ପାଇଁ ନିୟମିତ ଭାବରେ ମୁସ୍କାନଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ପଠାଉଥିଲେ। ଏକଥା ସାହିଲ ଜାଣିବା ପରେ ସେ ମୁସ୍କାନ ଠାରୁ ଉକ୍ତ ଟଙ୍କାକୁ ହଡପ କରି ନେଉଥିଲେ।