ମେଣ୍ଢାଶାଳ ବୋମାମାଡ଼ ଘଟଣା: ଜେଲ୍‌ ଗଲା ସାଜିଦ୍‌

ମେଣ୍ଢାଶାଳ: ବୁଧବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳା ଗ୍ରାମର ମୁସଲମାନ ସାହିର ରାଜ୍‌ ଖାଁ ଓ ତଫିଲ ଖାଁଙ୍କ ଘର ଉପରକୁ ବୋମାମାଡ଼ ଘଟଣାରେ ଗିରଫ ‌ଶେଖ୍‌ ଇସ୍ରାଲ୍‌ଙ୍କ ପୁଅ ଶେଖ୍‌ ସାଜିଦ୍‌କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଥିବା ଚନ୍ଦକା ଥାନା ସୂତ୍ରରୁ ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ ସାଜିଦ୍‌ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା ଥାନାରେ ସ୍ବୀକାର କରିଛି। ୩ ତାରିଖରେ ରାଜ୍‌ ଖାଁ ଓ ସାଜିଦ୍‌ର ଦାଦା ସେଖ୍‌ ଇବ୍ରେଲ୍‌ଙ୍କ ମଧ୍ୟରେ ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି କଥାକୁ ନେଇ ଉଭୟ ପରିବାର ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟ ହୋଇଥିଲା। ପରେ ଉଭୟ ପକ୍ଷରୁ ଏ ନେଇ ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ତେବେ ଫାଣ୍ଡିରେ ଏହାର ଆପୋସ ସମାଧାନ ହୋଇଥିଲା। ମାତ୍ର ଏଥିରେ ସାଜିଦ୍‌ ସନ୍ତୁଷ୍ଟ ନଥିଲା। ରାଗ ଶୁଝାଇବାକୁ ଯାଇ ବୁଧବାର ରାତି ପ୍ରାୟ ୨ଟା ୩୦ରେ ରାଜ୍‌ଙ୍କ ଘର ଉପରକୁ ୩ଟି ବୋମା ଫିଙ୍ଗିଥିଲା। ବୋମା ମାଡ଼ରେ ଗୋଟିଏ କାର ଓ ୨ଟି ବାଇକ୍‌ ଭାଙ୍ଗି ଯାଇଥିଲା। ମାତ୍ର ସୌଭାଗ୍ୟରୁ କେହି ମୃତାହତ ହୋଇ ନଥିଲେ। ମାତ୍ର ବୋମାମାଡ଼ ପରେ ରାଜଙ୍କ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଅନ୍ୟପକ୍ଷରେ ବୋମାମାଡ଼ କରି ସାଜିଦ୍‌ ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ତାର ପିଛା କରିଥିଲା। ସାଜିଦ୍‌ ଜଟଣୀ ରାଜା ବଜାରରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ବେଳେ ‌ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ବି. ପାତ୍ର ଓ କେନ୍‌ଷ୍ଟେ୍ବଲ୍‌ ଶେଖ୍‌ ଅସିକ୍‌ ତାକୁ କାବୁ କରି ଚନ୍ଦକା ଥାନା ଆଣିଥିଲେ। ସେଠାରେ ପଚରାଉଚରା ପରେ ସେ ଏପରି ବୋମାମାଡ଼ କରିଥିବା ସ୍ବୀକାର କରିଥିଲା। ଆଜି ସକାଳେ ତାକୁ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର