ଦଲାଲ ଗିରଫ: ନାନୀକୁ ଖୋଜୁଛି ପୁଲିସ

ନାବାଳିକାକୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇବା ମାମଲା

ଭୁବନେଶ୍ୱର: ନାନୀ ପାଖକୁ ଚାଲ୍‌ ଭଲକାମ ଦେବି। ଏଭଳି ମଧୁର କଥା କହି ଘରୁ ରାଗି ଚାଲିଆସିଥିବା ଜଣେ ନାବାଳିକାଙ୍କୁ ନିଜ ପାଲରେ ପକାଇଲେ। ପରେ ତାଙ୍କୁ ଅନୈତିକ କାମରେ ଲିପ୍ତ କରି ଟଙ୍କା ରୋଜଗାର କରିବା ଭଳି ଏକ ସଂଗିନ ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଦେହବ୍ୟବସାୟ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଡ଼ୁମୁଡ଼ୁମା ଅଞ୍ଚଳର ସଲିମ ଖାନ ଓରଫ ମାଙ୍ଗା(୨୮)। ୨୦୧୭ ଅଗଷ୍ଟ ମାସରେ ୟୁନିଟ୍‌-୬ ଅଞ୍ଚଳର ଜଣେ ନାବାଳିକା ଘରୁ ରାଗି ଚାଲିଆସିିଥିଲେ। ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ ଶିଶୁଭବନ ଅଞ୍ଚଳରେ ଚାଲିଚାଲି ଯାଉଥିବା ସମୟରେ ମାଙ୍ଗାର ନଜର ନାବାଳିକାଙ୍କ ଉପରେ ପଡ଼ିଥିଲା। ନାବାଳିକା ଜଣଙ୍କ ଏକୁଟିଆ ଯାଉଥିବା ଦେଖି ମାଙ୍ଗା ଅଟୋରେ ପିଛା କରିଥିଲା। ନାବାଳିକାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ଜାଣିବାପରେ ମାଙ୍ଗା ତାଙ୍କ ନିକଟକୁ ଯାଇ ଅଟୋରେ ବସିବାକୁ କହିଥିଲା। ହେଲେ ନାବାଳିକା ଜଣଙ୍କ ମନାକରିବାରୁ ମାଙ୍ଗା ଚତୁରତାର ସହ ନାବାଳିକାଙ୍କୁ ନିଜ ପାଲରେ ପାକାଇବାକୁ ଚେଷ୍ଟା କରିଥିଲା। କହିଥିଲା ଅଟୋରେ ବସ ମୁଁ ମୋ ନାନୀ ପାଖକୁ ନେଇ ଯିବି। ସେ ତମକୁ ଭଲ କାମଦେବେ। ମାଙ୍ଗାର କଥାରେ ନାବାଳିକା ଜଣଙ୍କ ଫସି ଯାଇଥିଲେ। ଆଉ ମାଙ୍ଗାର ଅଟୋରେ ବସି ନାନୀ ପାଖକୁ ଯାଇଥିଲେ। ରାତାରାତି ମାଙ୍ଗା ନାବାଳିକାଙ୍କୁ ନେଇ ନାନୀଙ୍କ ପାଖରେ ପହଞ୍ଚି ଯାଇଥିଲା। ନାନୀ ମଧ୍ୟ ରାତିରେ ନାବାଳିକାଙ୍କୁ ଭଲ ଚର୍ଚା କରିଥିଲେ।

ସକାଳୁ ନାବାଳିକା ଉଠିବା ପରେ କାମ ଠିକ୍‌ ହୋଇଯାଇଥିବା କଥା ଶୁଣି ଖୁସି ହୋଇଯାଇଥିଲେ। ଠିକ୍‌ ସନ୍ଧ୍ୟା ୬ଟା ସମୟରେ ଅନ୍ୟ ଜଣେ ମହିଳା ଆସି ନାବାଳିକାଙ୍କୁ କାମକୁ ନେଇଯାଇଥିଲେ। ସନ୍ଧ୍ୟାରେ କି କାମ ଭାବି ନାବାଳିକା ଜଣଙ୍କ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ହେଲେ ସେ ପର୍ଯ୍ୟନ୍ତ କେହି କିଛି କାମ ସମ୍ପର୍କରେ ନାବାଳିକାଙ୍କୁ କହି ନଥିଲେ। ମହିଳା ଜଣଙ୍କ ନାବାଳିକାଙ୍କୁ କଳ୍ପନା ସ୍ଥିତ ଏକ ଘରକୁ ନେଇ ସେଠାରେ ଛାଡ଼ି ଦେଇଥିଲେ। ଘର ଭିତରେ କେବଳ କେତେକ ଯୁବତୀଙ୍କୁ ଦେଖି ନାବାଳିକା ଜଣଙ୍କ ସନ୍ଦେହ କରିଥିଲେ। ଠିକ୍‌ ବିଳମ୍ବିତ ରାତି ପରେ ସେଠାରେ କେତେକ ଯୁବକଙ୍କୁ ଦେଖି କିଛି ବୁଝିପାରି ନଥିଲେ। ଯୁବକଙ୍କ ଅଶ୍ଳୀଳ ଇଂଗିତ ନାବାଳିକାଙ୍କୁ କିଛି ଠିକ୍‌ ଲାଗି ନଥିଲା। କାହାକୁ ଏବିଷୟରେ କହିବେ କିଛି ଭାବି ପାରିନଥିଲେ। କାରଣ ସେ ଯେଉଁ ମହିଳାଙ୍କ ସହ ଆସିଥିଲେ ତାଙ୍କ ଇସାରାରେ ଚାଲିଥିଲା ସବୁ ଅନୈତିକ କାର୍ଯ୍ୟ। ଏଭଳି କାମ ବିଷୟରେ ଜାଣିବା ପରେ ନାବାଳିକାଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା। ନାବାଳିକା ବେସାହାରା ହୋଇପଡ଼ିଥିଲେ। ମହିଳାଙ୍କ କଥାରେ ସବୁ ଯୁବତୀ କାମ କରୁଥିଲେ। ଯିଏ ତାଙ୍କ କଥା ମାନୁ ନଥିଲା ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ତେବେ ସେଠାରୁ କେମିତି ଆସିବେ ବୋଲି ଚିନ୍ତାରେ ପଡ଼ିଯାଇଥିଲେ। ତେବେ ନାବାଳିକାଙ୍କ ନିଖୋଜ ହେବାର କିଛିଦିନ ପରେ ପରିବାରଲୋକ ମହିଳା ଥାନାରେ ଅଭିଯୋଗ କରିଥିଲେ। ନାବାଳିକା ଜଣଙ୍କ ସେଠାରେ ୩ମାସ ରହିବା ପରେ ପୁଲିସ ନାବଳିକାଙ୍କୁ ଉଦ୍ଧାର କରିଥିଲା। ହେଲେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିଲା। ପୁଲିସ ନାବାଳିକାଙ୍କୁ ଥାନାକୁ ଆଣି ପଚରାଉଚରା ପରେ ମାଙ୍ଗା ବିଷୟରେ ଜାଣିବାକୁ ପାଇଥିଲା। ତାକୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଥିଲା। ତେବେ ଗୁରୁବାର ମାଙ୍ଗା ଡୁମୁଡୁମା ଘରେ ଥିବା ଜାଣିବା ପରେ ପୁଲିସ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ପୁଲିସ ଅନେକ କିଛି ତଥ୍ୟ ହାସଲ କରିଛି। ମାଙ୍ଗା ଓ ତାର ସହଯୋଗୀ କଳ୍ପନାର ଏକ ଘରେ ସେକ୍ସ ର‍୍ୟାକେଟ୍‌ ଚଲାଉଥିବା ପୁଲିସ ଜାଣିବାକୁ ପାଇଛି। ସମ୍ପୃକ୍ତ ମହିଳା ଜଣଙ୍କ କିଏ ? ସେମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି? ସେମାନେ କେମିତି ଯୁବତୀଙ୍କୁ ଫସାଉଛନ୍ତି? କେଉଁ କେଉଁ ସ୍ଥାନରେ ସେମାନଙ୍କ ଲିଙ୍କ୍‌ ରହିଛି? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ତଦନ୍ତ ଜାରି ରଖିଛି। ଖୁବ୍‌ ଶୀଘ୍ର ର‍୍ୟାକେଟ୍‌ ଠାବ କରାଯିବ ବୋଲି ମହିଳା ଥାନା ଇନ୍‌ସପେକ୍ଟର୍‌ ଇମନ୍‌ କଲ୍ୟାଣ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର