ବିଳମ୍ବିତ ରାତିରେ ବାର୍‌ରେ ଚଢ଼ଉ: ୧୦ ଯୁବତୀ ଉଦ୍ଧାର

୨ କର୍ମଚାରୀ ଅଟକ, ଅଶ୍ଲୀଳ ନୃତ୍ୟ ଚାଲୁଥିବା ନେଇ ଅଭିଯୋଗ

ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନରେ ଥିବା ସୋଲାଲ-ଇନ୍‌ ବାର୍‌ରେ ଆଜି ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହାସହ ପୁଲିସ ବାର୍‌କୁ ସିଲ୍‌ କରିଦେବା ସହ ମ୍ୟାନେଜର ଓ ଫ୍ଲୋର୍‌ ମ୍ୟାନେଜର୍‌ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଉଦ୍ଧାର ଯୁବତୀଙ୍କ ମଧ୍ୟରେ ୫ଜଣଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ୨ଜଣ ଦିଲ୍ଲୀ, ୨ଜଣ ପଞ୍ଜାବ ଓ ଜଣଙ୍କ ଘର ଓଡ଼ିଶାରେ ବୋଲି ଜଣାଯାଇଛି। ପୁଲିସ ରାତାରାତି ସେମାନଙ୍କ ସର୍ଟ-ଷ୍ଟେ ହୋମ୍‌କୁ ପଠାଇ ଦେଇଛି। ଆସନ୍ତାକାଲି ସେମାନଙ୍କର ଡାକ୍ତରୀମାଇନା କରାଯିବ ବୋଲି ଜଣାଯାଇଛି। ଅପରପକ୍ଷେ ଅଟକ ୨ କର୍ମଚାରୀଙ୍କୁ ପଚରାଉଚରା କରି ପୁଲିସ ତଥ୍ୟ ଆଦାୟ କରୁଛି। ଅନୁମତି ନ ଥାଇ ବାର୍‌ରେ କାହିଁକି ନୃତ୍ୟଗୀତ ଚାଲୁଛି ଓ ଏହି ବେଆଇନ କାରବାର କେତେଦିନ ହେଲା ଚାଲି ଆସୁଛି, ସେ ନେଇ ପୁଲିସ ସେମାନଙ୍କୁ ଜେରା କରୁଛି। ପୁଲିସ ସୂଚନା ମୁତାବକ, ଏହି ବାର୍‌ରେ ଅଶ୍ଳୀଳ ନୃତ୍ୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ରାତି ପ୍ରାୟ ସାଢ଼େ ୧୧ଟାରେ ପୁଲିସ ସେଠାରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର