ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନକଲ କରି ଚର୍ଚ୍ଚାକୁ ଆସିଥିଲେ ଶ୍ୟାମ ରଙ୍ଗିଲା। ନିକଟରେ ମୋଦୀଙ୍କ ନକଲ କରିବା ହେତୁ ରଙ୍ଗିଲା ଅସୁବିଧାରେ ପଡ଼ି ଯାଇଛନ୍ତି। ରାଜସ୍ଥାନ ବନବିଭାଗ ରଙ୍ଗିଲାଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି। ଏପରିକି ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ  କରିଥିବା ହେତୁ ରଙ୍ଗିଲାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇପାରେ।

Advertisment

ଶ୍ୟାମ ରଙ୍ଗିଲା ନିକଟରେ ଜୟପୁରର ଝାଲାନା ଜଙ୍ଗଲକୁ ଯାଇ ନୀଳଗାଈକୁ ଖାଦ୍ୟ ଖୁଆଇଥିଲେ। ଆଉ ଏହାର ଏକ ଭିଡିଓ ବି ରେକର୍ଡ କରିଥିଲେ। ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ‌ଦେଖୁଦେଖୁ ଭିଡିଓ ଭାଇରାଲ ହୋଇଯାଇଥିଲା। ଏହା କିନ୍ତୁ ତାଙ୍କୁ ମହଙ୍ଗା ପଡ଼ି ଯାଇଛି।

ଜୟପୁର ବନ ଅଧିକାରୀ ଜନେଶ୍ବର ଚୌଧୁରୀ କହିଛନ୍ତି, ‘ୟୁଟ୍ୟୁବ ଚାନେଲରେ ଶ୍ୟାମ ରଙ୍ଗିଲା ଏପ୍ରିଲ ୧୩ ତାରିଖରେ ଝାଲାନା ଲେପର୍ଡ ରିଜର୍ଭର ଏକ ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓରେ ଶ୍ୟାମ ନିଜର ଗାଡ଼ିରୁ ଓହ୍ଲାଇ ହାତରେ ବନ୍ୟଜନ୍ତୁ ନୀଳଗାଈକୁ ଖାଦ୍ୟ ଖୁଆଇ‌ ଥିବା ଦେଖିବାକୁ ମିଳିଥିଲା।

ତେବେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ଖୁଆଇବା ଅଧିନିୟମ ୧୯୫୩ ଓ ବନ୍ୟ ଜୀବନ ସଂରକ୍ଷଣ ଅଧିନୟମ ୧୯୭୨ର ସେ ଉଲ୍ଲଂଘନ କରିଛନ୍ତି। କାରଣ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଖୁଆଇବା ହେତୁ ଅନେକ ‌ପ୍ରକାର ରୋଗ ହୋଇଥାଏ। ଏମିତି କି ସେମାନଙ୍କ ଜୀବନ ପ୍ରତି ବି ବିପଦ ରହିଥାଏ।

ବନ୍ୟଜନ୍ତୁଙ୍କୁ ଖାଦ୍ୟ ନଖୁଆଇବା ପାଇଁ ଝାଲାନା ଜଙ୍ଗଲରେ ‌ଚେତାବନୀ ଦିଆଯାଇ ବୋର୍ଡ ବି ଲଗା ଯାଇଛି। ଏହା ସତ୍ତ୍ବେ ବି ନୀଳଗାଈକୁ ଶ୍ୟାମ ଖାଦ୍ୟ ଖୁଆଇଥିଲେ।

‘ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣ ଗସ୍ତ କରିଥିଲେ।ଏହି ଗ୍ରସ୍ତ କାଳରେ ମୋଦୀ ଖାକି ପ୍ୟାଣ୍ଟ୍, ‘କେମୋଫ୍ଲାସ୍ ଟି-ସାର୍ଟ’ ଏବଂ ‘ଆଡ୍ଭେନ୍ଚର୍ ଜିଲେଟ୍ ସ୍ଲିଭ୍ଲେସ୍ ଜ୍ୟାକେଟ୍’ ପିନ୍ଧି ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ ପହଞ୍ଚିଥିଲେ। ଆଉ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବା ସହିତ ହାତୀକୁ ଖାଇବାକୁ ଦେଇଥି‌ଲେ। ଏହାକୁ ଦେଖି ରଙ୍ଗିଲା ବି ‌ମୋଦୀଙ୍କ ଭଳି ବେଶ ପରିଧାନ କରି ଜଙ୍ଗଲ ଭ୍ରମଣରେ ବାହାରି ଯାଇଥିଲେ।