ଲିପ୍ଟ ଭିତରକୁ ଡାକି ନେଇ କୁନିଝିଅକୁ ମାଡ଼ମାରି ମହିଳା ଛଡ଼ାଇ ନେଉଥିଲେ ସୁନା କାନଫୁଲ, ସିସିଟିଭି ପକାଇଦେଲା ଧରା

ମୁମ୍ବାଇ: ମୁମ୍ବାଇସ୍ଥିତ ଟ୍ରମ୍ବେଠାରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଏକ ଆପର୍ଟମେଣ୍ଟ୍‌ ମଧ୍ୟରେ ଥିବା ଲିପ୍ଟ ଭିତରେ ଜଣେ ୪୨ ବର୍ଷୀୟା ମହିଳା ଏକ ନିରୀହ ଶିଶୁକୁ ନିର୍ଦୟ ଭାବେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କର ଏପରି ନିର୍ଦୟ କାରନାମା ଲିପ୍ଟ ଭିତରେ ଲାଗିଥିବା ସିସିଟିଭିରେ କଏଦ ହେବା ପରେ ଲୋକଲୋଚନକୁ ଆସିଛି। ସବୁଠାରୁ ଦୁଃଖର କଥା ହେଉଛି ଏପରି ଏକ ଲଜ୍ଜାକର ଘଟଣା ଘଟିଛି ନଭେମ୍ବର ୧୪, ଅର୍ଥାତ ଶିଶୁ ଦିବସରେ।

ଏହି ମାମଲାର ତଦନ୍ତ କରି ପୁଲିସ୍‌ ଅଭିଯୁକ୍ତା ମହିଳା ରିଜଓ୍ଵାନା ସୈଖଙ୍କୁ ଗିରଫ କରିଛି। ଶିଶୁଟି ପିନ୍ଧିଥିବା ସୁନା କାନଫୁଲ ଛଡ଼େଇ ନେବା ପାଇଁ ମହିଳା ଜଣକ ଉଦ୍ୟମ କରିଥିଲେ। ପିଲାଟି ନଦେବାରୁ ସେ ରାଗରେ ଆସି ପିଲାଟିକୁ ମାରିବାକୁ ଲାଗିଥିଲେ ବୋଲି ନିଜେ ମହିଳା ଏକଥା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି।

ମାତ୍ର ପୀଡ଼ିତା ଜାହ୍ନବୀଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ମହିଳା ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଭିଡିଓଟିରେ ବି ଦେଖିବାକୁ ମିଳିଛି ଯେ ଅଭିଯୁକ୍ତା ମହିଳା ପାଖାପାଖି ୫ ମିନିଟ୍‌ ଧରି କୁନି ଝିଅଟିକୁ ମାରିବାରେ ଲାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ଝିଅଟି ତଳେ ପିଲାମାନଙ୍କ ସହ ଖେଳୁଥିଲା। ମହିଳା ଜଣକ ତାକୁ ଫୁସୁଲେଇ ଲିପ୍ଟ ଭିତରକୁ ଡାକି ନେଇଥିଲେ। ସେଠାରେ ସେ ତାକୁ ମାରଧର କରିଥିଲେ। ଝିଅଟି ତା’ପରେ କାନ୍ଦିବାକୁ ଲାଗିଥିଲା। ଝିଅଟିର କାନ୍ଦ ଶୁଣି ତା’ମାଆ ଧାଇଁ ଆସିଥିଲେ ବି ମହିଳା ଜଣକ ଲିପ୍ଟ କବାଟ ନ ଖୋଲି ସପ୍ତମ ମହଲାକୁ ନେଇ ଯାଇଥିଲେ, ଯଦିଓ ଝିଅଟିର ପରିବାର ଲୋକ ଆପର୍ଟମେଣ୍ଟ୍‌ର ୪ର୍ଥ ମହଲାରେ ରହନ୍ତି।

ସମ୍ବନ୍ଧିତ ଖବର