ପ୍ରଥମେ ବୟଫ୍ରେଣ୍ଡ, ତା’ପରେ ପୁଲିସ କଲା ଦୁଷ୍କର୍ମ: କମିସନରଙ୍କ ନିକଟରେ ଅଭିଯୋଗ କଲେ ନାବାଳିକା

ସୁରାଟ: ପ୍ରଥମେ ବୁଲାଇ ନେବା ଆଳରେ ବୟଫ୍ରେଣ୍ଡ ଦୁଷ୍କର୍ମ କଲେ। ଏ ନେଇ ନାବାଳିକା ଜଣକ ତାଙ୍କ ବୟଫ୍ରେଣ୍ଡଙ୍କ ନାମରେ ଅଭିଯୋଗ କଲେ। ମାମଲାର ତଦନ୍ତ ପାଇଁ ସାଙ୍ଗରେ ନେଇ ଯାଇଥିବା ପୁଲିସ ରକ୍ଷକ ସାଜି ଭକ୍ଷକ ପରି ଆଚରଣ କଲା। ତଦନ୍ତ ଆଳରେ ପୁଲିସ ବି ଦୁଷ୍କର୍ମ କଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ଜଣେ ନାବାଳିକା ଜଣକ ଶେଷର ନ୍ୟାୟ ପାଇଁ ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଛି। କେବଳ ସେତିକି ନୁହେଁ, ଏହି ମାମଲାର ତଦନ୍ତ ଦାୟିତ୍ୱ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ଥାନା ବାହାରର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଦେଇ ନିରପେକ୍ଷ ତଦନ୍ତ କରିବାକୁ ନାବାଳିକା ଜଣକ ସୁରାଟ ପୁଲିସ କମିସନରଙ୍କୁ ଅନୁରୋଧ କରିଛନ୍ତି। ନାବାଳିକାଙ୍କ ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ କମିସନ୍‌ର ଏ ନେଇ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


ପୁଲିସ କମିସନରଙ୍କ ନିକଟରେ ନାବାଳିକା ଜଣକ ତାଙ୍କ ବାପା ଓ ଅନ୍ୟ କେତେକ ସ୍ୱେଛାସେବୀ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଆସି ଅଭିଯୋଗ କରିଛନ୍ତି ଯେ ସୁରାଟର କତରଗାମ ଥାନାରେ ଗତ ନଭେମ୍ବର ୧୭ ତାରିଖରେ ନାବାଳିକା ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କ ବୟଫ୍ରେଣ୍ଡ ଚିରାଗ ମାରୁ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମୁମ୍ବାଇ ଭୁଲାଇ ନେଇଯିବା ସହିତ ସେଠାରେ ଏକ ହୋଟେଲରେ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ କତରଗାମ ଥାନାର ଏକ ପୁଲିସ ଟିମ୍‌ ନାବାଳିକା ଓ ତାଙ୍କ ବାପାଙ୍କୁ ନେଇ ତଦନ୍ତ ପାଇଁ ମୁମ୍ବାଇ ଯାଇଥିଲେ। ତେବେ ନାବାଳିକା ଜଣକଙ୍କୁ ପୁଲିସ ମୁମ୍ବାଇ ନେଉଥିଲେ ମଧ୍ୟ ସାଙ୍ଗରେ କୌଣସି ମହିଳା ପୁଲିସକୁ ନେଇ ନ ଥିଲେ। ସେମାନେ ମୁମ୍ବାଇର ଯେଉଁ ହୋଟେଲରେ ରହିଥିଲେ ସେଠାରେ ସେହି ରାତିରେ ତଦନ୍ତକାରୀ ପୁଲିସ ଅଧିକାରୀ ତାଙ୍କୁ ଦୁଷ୍କର୍ମ କରିଥଲେ ବୋଲି ନାବାଳିକା ଜଣକ ପୁଲିସ କମିସନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନାବାଳିକା ଜଣକ ଅନୁରୋଧ କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ କମିସନରଙ୍କୁ ଅନୁରୋଧ କରିଛନ୍ତି।

ଏ ସମ୍ପର୍କରେ ସୁରାଟ ପୁଲିସ କମିସନର ସତୀଶ ଶର୍ମା କହିଛନ୍ତି ଯେ ଏହା ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଥିବାରୁ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆସରିଛି। ସେହିପରି ଦୁଷ୍କର୍ମ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ଜଣେ ମହିଳା ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କମିସନର ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର