ଥାନା ଭିତରେ ଦଉଡ଼ା ଦେଇ ଆତ୍ମହତ୍ୟା କଲେ ନାବାଳିକା, ନିଜ ପୁଅ ସହ ବିଭା ଦେବାକୁ ପଡ଼ୋଶୀ କରୁଥିଲେ ବାଧ୍ୟ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ତିଲକ ବିହାରି ପୁଲିସ୍‌ ଥାନାରେ ଶନିବାର ଜଣେ ନାବାଳିକା ନିଜ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମାଆଙ୍କ କହିବା ଅନୁଯାୟୀ, ତାଙ୍କ ଝିଅକୁ କିଛି ପଡ଼ୋଶୀ ଆସି ଜୋର୍‌ଜବରଦସ୍ତ ଟେକି ନେଇ ନିଜ ପୁଅ ସହ ବିଭା ଦେବା ପାଇଁ ଚାପ ପକାଇଥିଲେ। ମାତ୍ରେ ସେ ଜଣେ ନାବାଳିକା ହୋଇଥିବାରୁ ପୀଡ଼ିତାଙ୍କ ଘର ଲୋକେ ଏହାକୁ ପ୍ରତିବାଦ କରିଥିଲେ। ମୃତକଙ୍କ ମାଆ ଅହୁରି ବି ଜଣାଇଛନ୍ତି ଯେ ପୁଲିସ୍‌ ଖବର ଦେବା ପରେ ସେ ଯାଇ ଥାନାରେ ପହଞ୍ଚିଥିଲେ। ଥାନାରେ ପହଞ୍ଚି ଦେଖନ୍ତି ତ ତାଙ୍କ ଝିଅ ଥାନାର ଗୋଟାଏ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ତାଙ୍କର ୩ ପୁଅ ଅନ୍ୟ ଏକ ରୁମ୍‌ରେ ବନ୍ଦ ହୋଇ ରହିଛନ୍ତି।

ଅତିରିକ୍ତ ପୁଲିସ୍‌ କମିସନର୍‌ ବିଜୟ କୁମାର କହନ୍ତି, ‘ଶନିବାର ରାତି ପ୍ରାୟ ୨ଟା ବେଳେ ନାବାଳିକା ଜଣକ ପୁଲିସ୍‌ ଥାନାରେ ଆସି ପହଞ୍ଚିଥିଲା। ପହଞ୍ଚିବା ପରେ କହିଥିଲା କି ସେ ଘରକୁ ଯିବାକୁ ଚାହେଁ ନାହିଁ। ପୀଡ଼ିତାଙ୍କ ପରିବାର ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ସମାନ୍ୟ ବିବାଦ ଉପୁଜିଥିଲା। ଉଭୟ ପରିବାରଙ୍କୁ ପୁଲିସ୍‌ ଷ୍ଟେସନ୍‌ ଡକାଗଲା। ପୁଲିସ୍‌ ସମ୍ମୁଖରେ ଦୁଇ ପରିବାର ନିଜ ଭିତରେ ଥିବା ବିବାଦର ମୀମାଂସା କଲେ। ନାବାଳିକା ଜଣକ ଘରକୁ ଯିବାକୁ ମନା କରୁଥିବାରୁ ତାଙ୍କୁ ନାରୀ ନିକେତନକୁ ପଠାଯିବା ପାଇଁ ଯୋଜନା କରାଗଲା। ମାତ୍ର ସେହି ସମୟରେ ନାବାଳିକା ଜଣକ ଅନ୍ୟ ଏକ ରୁମ୍‌କୁ ଯାଇ ନିଜକୁ ଝୁଲାଇ ଦେଇଥିଲେ।

ନାବାଳିକା ଜଣକ ଭିତରୁ କବାଟ ଦେଇ ଦେଇଥିବାରୁ ପୁଲିସ୍‌ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି। ପୁଲିସ୍‌ମାନେ କିଛି ଅଣଦେଖା କରିଛନ୍ତି କି ନାହିଁ ସେ ସଂପର୍କରେ ମଧ୍ୟ ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର