ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ କରାଯାଇଛି। ଏ ନେଇ ରାଉରକେଲା ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଉଦିତନଗର ପୁଲିସ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ନାବାଳିକାଙ୍କ ପୁରୁଷ ବନ୍ଧୁ, ବିଶ୍ରା ଅଞ୍ଚଳର ଜଣେ ଯୁବକ ଓ ସେଠାକାର ଜଣେ ମାଛ ବେପାରୀ ଥିବା ସୂଚନା ମିଳିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ସୃଷ୍ଟିକରିଛି।
ଅଭିଯୋଗ ଅନୁସାରେ, ରାଉରକେଲା ଉଦିତନଗର ଅଞ୍ଚଳରେ ସମ୍ପୃକ୍ତ ନାବାଳିକାଙ୍କ ଘର। ରାଉରକେଲାରେ ରହୁଥିବା ତାଙ୍କ ପୁରୁଷବନ୍ଧୁ ଓ ବିଶ୍ରା ଅଞ୍ଚଳର ଜଣେ ବନ୍ଧୁ ନାବାଳିକାଙ୍କୁ ପ୍ରଲୋଭିତ କରି ବିଶ୍ରା ସହରର ଗ୍ରିନ୍ଗାର୍ଡେନକୁ ନେଇ ଆସିଥିଲେ। ସେଠାରେ ଏକ ଘରେ ତାଙ୍କୁ ରାତିସାରା ଦୁଷ୍କର୍ମ କରିଥିଲେ। ଏହାର ଫାଇଦା ଉଠାଇ ଉକ୍ତଘରେ ରହୁଥିବା ମାଛବେପାରୀ ଜଣକ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ବାରମ୍ବାର ନାବାଳିକାଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାଦେଖି ତାଙ୍କ ପୁରୁଷବନ୍ଧୁ ଓ ବିଶ୍ରା ଅଞ୍ଚଳର ଯୁବକ ନାବାଳିକାଙ୍କୁ ଡାକ୍ତର ପାଖକୁ ନେବା ପରିବର୍ତ୍ତେ ସେଠାରୁ ଫେରାର ହୋଇଯାଇଥିଲେ।
ତେବେ ଉକ୍ତଘରେ ରହୁଥିବା ମାଛବେପାରୀ ତାଙ୍କୁ ବୁଧବାର ଅପରାହ୍ଣରେ ଏକ ଅଟୋରେ ବସାଇ ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚି ନାବାଳିକା ସବୁ କଥା କହିଥିଲେ। ଏହାପରେ ପରିବାରଲୋକେ ପୀଡ଼ିତାଙ୍କ ସହ ଉଦିତନଗର ଥାନାକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଉଦିତନଗର ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।
ଗୁରୁବାର ସକାଳେ ଉଦିତନଗର ପୁଲିସ ବିଶ୍ରା ପୁଲିସ ସହାୟତାରେ ଗ୍ରିନ୍ଗାର୍ଡେନର ଯେଉଁଘରେ ଦୁଷ୍କର୍ମ ହୋଇଥିଲା ସେଠାରେ ରହୁଥିବା ସମ୍ପୃକ୍ତ ମାଛବେପାରୀ ଓ ବିଶ୍ରା ଅଞ୍ଚଳର ଯୁବକଙ୍କୁ ଉଠାଇ ନେଇଥିଲା। ପରେ ରାଉରକେଲାରୁ ନାବାଳିକାଙ୍କ ପୁରୁଷବନ୍ଧୁ ଧରା ପଡ଼ିଥିଲା। ଜୋନାଲ୍ ଡିଏସ୍ପି ନିର୍ମଳ ମହାପାତ୍ର ବିଶ୍ରା ଥାନାକୁ ଯାଇ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ। ଡିଏସ୍ପି ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ଗଣଦୁଷ୍କର୍ମ ଘଟଣାକୁ ସ୍ବୀକାର କରିବା ସହ ପୁଲିସ ତଦନ୍ତ କରୁଛି ବୋଲି କହିଥିଲେ।
ତେବେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ବିଶ୍ରା ଡାକ୍ତରଖାନାକୁ ଡାକ୍ତରୀମାଇନା ପାଇଁ ସମ୍ପୃକ୍ତ ନାବାଳିକାଙ୍କୁ ନିଆଯାଇଥିଲା। ମାତ୍ର ଅଭିଯୁକ୍ତମାନେ ନଥିବାରୁ ସେଠାରେ ତାଙ୍କର ନମୁନା ପରୀକ୍ଷଣ ହୋଇପାରି ନଥିଲା। ଶୁକ୍ରବାର ଅଭିଯୁକ୍ତ ଓ ନାବାଳିକାଙ୍କ ଡାକ୍ତରୀମାଇନା ହେବ। ଏହା ସହିତ ୧୬୧ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବ। ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଘଟିଥିବା ପ୍ରାୟ ଅଧଡଜନ ନାବାଳିକା ଗଣଦୁଷ୍କର୍ମ ଓ ଅସଦାଚରଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିବା ସହ ଇସ୍ପାତ୍ସହରର ଛବିକୁ ମଳିନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2024/02/02rape.jpg)