ସିମ୍ଲା: ହିମାଚଳ ପ୍ରଦେଶରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିଜ ଜିଲ୍ଲା ମଣ୍ଡିର କରସୋଗ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିିତାର ପରିବାରଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀର ନାମ ଭୀମା ରାମ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କରସୋଗରେ ବସବାସ କରୁଥିବା ଭୀମା ରାମ ଭୁଲ କ୍ରମେ ମୋବାଇଲ ଫୋନ୍ ଜରିଆରେ ନାବାଳିକା ଝିଅ ରୁଚିକାକୁ (ଛଦ୍ମନାମ) ଏକ ମିସ୍ କଲ କରି ଦେଇଥିଲା। ରୁଚିକା କିଏ କଲ କରିଛି ବୋଲି ଭାବି ଭୀମା ପାଖକୁ କଲ୍ ବ୍ୟାକ କରିଥିଲେ। ଏହିଠାରୁ ହିଁ ଦୁହିଁଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ପାଖାପାଖି ୬ମାସ ହେବ ଫୋନ୍ ଜରିଆରେ ଦୁହେଁ କଥାବର୍ତ୍ତା ହେଉଥିଲେ। ଜାନୁଆରି ୪ ତାରିଖ ଦିନ ଭୀମା ରୁଚିକାକୁ ଦେଖା କରିବାକୁ ଚାହୁଁଛି ବୋଲି କହି କରସୋଗ ଡକାଇଥିଲା। ଭୀମା ଡାକିଥିବା ସ୍ଥାନରେ ରୁଚିକା ପହଞ୍ଚିବା ପରେ ଏକ ନିଛାଟିଆ ସ୍ଥାନରେ ଯାଇ ଦୁହେଁ କଥାବର୍ତ୍ତା ହୋଇଥିଲେ। ଏହାପରେ ଭୀମା ରୁଚିକାର ଅସହାୟତାର ଫାଇଦା ଉଠାଇବାକୁ ଯାଇ ତା’ ସହିତ ଦୁଷ୍କର୍ମ କରିଥିଲା। ଯଦି ଏହି ଘଟଣା ସମ୍ପର୍କରେ ରୁଚିକା କାହାକୁ କୁହେ ତେବେ ସେ ତାକୁ ଜୀବନରୁ ମାରି ଦେବ ବୋଲି ଧମକ ମଧ୍ୟ ଦେଇଥିଲା।
ପୀଡିତା ରୁଚିକା ବହୁ କଷ୍ଟରେ ଘରେ ପହଞ୍ଚି ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇଥିଲା। ଏହାପରେ ରୁଚିକାଙ୍କ ପରିବାରଲୋକ କରସୋଗ ପୁଲିସ ଥାନାରେ ଦୁଷ୍କର୍ମକାରୀ ବିରୋଧରେ ଅଭିଯୋଗ କରିଥିଲେ।
କରସୋଗ ପୁଲିସ ଏହି ମାମଲାକୁ ଗମ୍ଭୀରତା ସହ ନେଇ ଦୁଷ୍କର୍ମକାରୀକୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଦେଇଥିଲା। ଏହାପରେ ପୁଲିସ ଦୁଷ୍କର୍ମକାରୀ ଭୀମା ରାମକୁ ଗିରଫ କରିଥିଲେ। ଭୀମା ବିବାହିତ ସେ ଏକ ପିକ୍ଅପ୍ ଭ୍ୟାନ୍ ଚଳାଏ ବୋଲି ଜଣାପଡ଼ିଛି।