ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଅଟକ

ଭୁବନେଶ୍ୱର : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକଙ୍କୁ ଅଟକ ରଖିଛି। ସେ ହେଲା ମଞ୍ଚେଶ୍ୱର ଥାନା ଅଧୀନ ଶ୍ରୀରାମନଗର ଅଞ୍ଚଳର ଜୀବନଜ୍ୟୋତି ବେହେରା।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ଜୀବନଜ୍ୟୋତି ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ପିଛା କରି ହଇରାଣ ହରକତ କରୁଥିଲା। ତେବେ ଗତ କିଛିଦିନ ତଳେ ଜୀବନଜ୍ୟୋତି ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ନାବାଳିକା ଜଣଙ୍କ ରାଜି ହୋଇ ନଥିଲେ। ଫଳରେ ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ଆଜି ସନ୍ଧ୍ୟାରେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ସମୟରେ ଜୀବନଜ୍ୟୋତି ଘରକୁ ପଶିଯାଇଥିଲା। କବାଟ ବନ୍ଦ କରି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଧାଇଁ ଆସିଥିଲେ। ଘର କବାଟ ବାଡ଼େଇଥିଲେ ମଧ୍ୟ କେହି କବାଟ ଖୋଲି ନଥିଲେ। ଶେଷରେ ଲୋକମାନେ ଘର କବାଟ ଭାଙ୍ଗି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜୀବନଜ୍ୟୋତିକୁ କାବୁ କରିଥିଲେ। ଜୀବନଜ୍ୟୋତି ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଯାଇପାରି ନଥିଲା। ତାକୁ ଲୋକମାନେ ନିସ୍ତୁକମାଡ଼ ମାରି ପୁଲିସକୁ ଜଣାଇଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର