ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ; ଅକଥନୀୟ ଅତ୍ୟାଚାର, ଉଭୟ ଆଖି ନଷ୍ଟ

ଭୋପାଳ : ମଧ୍ୟପ୍ରଦେଶର ଦାମୋହ ଜିଲ୍ଲା ଅଧୀନସ୍ଥ ବଂଶିପୁରା ଗ୍ରାମରେ ଅତି ଅଭାବନୀୟ ଘଟଣା ଘଟିଛି। ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି ଏବଂ ତାଙ୍କୁ ଅତି ଅକଥନୀୟ ଅତ୍ୟାଚାର କରାଯାଇଛି। ଦୁଷ୍କର୍ମକାରୀ ନାବାଳିକାଙ୍କୁ ପ୍ରବଳ ଶାରୀରିକ ଆଘାତ ଦେଇଛି ଏବଂ ତାଙ୍କ ଆଖି ତାଡ଼ି ଦେବାକୁ ଚେଷ୍ଟା କରିଥିଲା। ପୀଡ଼ିତାଙ୍କ ୨ଟି ଯାକ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏବେ ‌ସେ ଗୁରୁତର ଅବସ୍ଥାରେ ଜବଲପୁରର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ସୂଚନାନୁଯାୟୀ ପୀଡ଼ିତା ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ତାଙ୍କର ଜଣେ ସାଙ୍ଗ ସହ ଘର ନିକଟରେ ଖେଳୁଥିଲେ। ଏହି ସମୟରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ କେଉଁଆଡ଼େ ଉଠାଇ ନେଇଥିଲେ। ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ଅନେକ ଖୋଜାଖୋଜି କରିବାପରେ ମଧ୍ୟ ପୁଲିସ ତାଙ୍କ ପତ୍ତା ପାଇନଥିଲା। ତେବେ ଆଜି ସକାଳେ ପୀଡ଼ିତାଙ୍କୁ ତାଙ୍କ ଗ୍ରାମର ଏକ ପରିତ୍ୟକ୍ତ ଗୃହରେ ବେହୋସ୍‌ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ୨ଟି ଯାକ ହାତ ଏବଂ ଗୋଡ଼କୁ ଏକ ଦଉଡ଼ିରେ ବାନ୍ଧି ଦିଆଯାଇଥିଲା। ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଆଖି ଦୁଇଟିକୁ ତାଡ଼ି ଦେବାକୁ ଚେଷ୍ଟା କରିଥିଲା। ତାଙ୍କର ୨ଟି ଯାକ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଉକ୍ତ ମାମଲାରେ ଅଭିଯୁକ୍ତକୁ ଧରିବାପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି। ୨୦ରୁ ଅଧିକ ସ୍ଥାନରେ ଚଢ଼ଉ ଚାଲିଛି। ତେବେ ସାରା ଦେଶ ଏବେ କରୋନା ସଙ୍ଗଟ ଦେଇ ଗତି କରୁଥିବାବେଳେ ଏଭଳି ଏକ ଜଘନ୍ୟ ଅପରାଧ ମଧ୍ୟପ୍ରଦେଶକୁ ଆଚମ୍ବିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର