ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ୪ ମାସ ଧରି ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ମିରଟ୍‌: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଦେବା ଭୟ ଦେଖାଇ ଉତ୍ତର ପ୍ରଦେଶର ଜଣେ ୧୫ ବର୍ଷୀୟା ୯ମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଗତ ୪ ମାସ ଧରି ଦୁଷ୍କର୍ମ କରୁଥିବା ପରି ଜଘନ୍ୟ ଘଟଣା ଏବେ ପଦାକୁ ଆସିଛି। କେବଳ ସେତିକି ନୁହେଁ, ସ୍କୁଲ ଯାଉଥିବା ବେଳେ ଏହି ଯୁବକମାନେ ତାଙ୍କୁ ବାଟରୁ ଅପହରଣ କରି ନେଇ ଦୁଷ୍କର୍ମ କରୁଥିଲେ। ଏହାର ବିରୋଧ କଲେ ଯୁବକମାନେ ଯୁବତୀଙ୍କ ନଗ୍ନ ଭିଡ଼ିଓ ଭାଇରାଲ କରି ଦେବାର ଧମକ ଦେଇ ଏହି ଜଘନ୍ୟ କାଣ୍ଡ ଚଳାଇଥିିଲେ। ଏପରିକି ଏ ନେଇ ପୁଲିସରେ ଅଭିଯୋଗ କଲେ ନାବାଳିକାଙ୍କ ମୁହଁରେ ଏସିଡ୍‌ ପିଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି ଅଭିଯୁକ୍ତମାନେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୁଲିସ ଅପିସରଙ୍କ ପୁଅ ମଧ୍ୟ ରହିଥିବା ନାବାଳିକାଙ୍କ ମାଆ ଥାନାରେ କରିଥିବା ଅଭିଯୋଗରୁ ଜଣାପଡ଼ିଛି।


ମିରଟ୍‌ ସିଭିଲ ଲାଇନ୍‌ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ୧୫ ବର୍ଷୀୟା ଏହି ନାବାଳିକା ଜଣକ ୯ମ ଶ୍ରେଣୀରେ ପଢ଼ନ୍ତି। ତେବେ ଗତ ୪ ମାସ ହେବ ଲଗାତର ଭାବେ ସେ ଶ୍ରେଣୀରେ ଅନୁପସ୍ଥିତ ରହୁଥିବା ନେଇ ତାଙ୍କ ସ୍କୁଲ ପକ୍ଷରୁ ନାବାଳିକାଙ୍କ ଘରକୁ ଖବର ଦିଆଯାଇଥିଲା। ଏହି ଖବର ପାଇବା ପରେ ନାବାଳିକାଙ୍କୁ ତାଙ୍କ ମାଆ ପଚାରିବାରୁ ସେ ଯେଉଁ କଥା କହିଥିଲେ ଏଥିରେ ତାଙ୍କ ମାଆଙ୍କ ହୋସ୍‌ ଉଡ଼ିଯାଇଥିଲା। ଗତ କିଛିଦିନ ହେବ ନାବାଳିକାଙ୍କୁ ପୁରୁଣା ମୋହନପୁର ଅଞ୍ଚଳର ଶୁଭମ କୁମାର(୨୦) ଆକାଶ ସିଂହ(୨୦) ଓ ପଲମପୁରମ ଅଞ୍ଚଳର ମୟଙ୍କ ସିଂହ(୨୦) ତାଙ୍କୁ ସ୍କୁଲ ଗଲାବେଳେ ଫଲୋ କରୁଥିଲେ। ଦିନେ ସୁଯୋଗ ଦେଖି ଏହି ତିନି ଜଣ ତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲେ ଓ ଏହି ସମୟର ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ନେଇଥିଲେ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେବେ କହି ଏହି ୩ ଅଭିଯୁକ୍ତ ଗତ ୪ ମାସ ହେଲା ସ୍କୁଲ ଗଲା ବେଳେ ନାବାଳିକାଙ୍କୁ ଅପହରଣ କରି ନେଇ ସେମାନଙ୍କ କାମବାସନା ପୁରଣ କରୁଥିଲେ ବୋଲି ନାବାଳିକାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଦଫା ୩୭୬( ଖ) (ଗଣଦୁଷ୍କର୍ମ), ଏସସି ଏସ୍‌ଟି ଆକ୍ଟ୍‌ ଓ ପୋକ୍ସୋର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଗତ ଦୁଇ ଦିନ ତଳେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯିଏକି ମିରୁଟ୍‌ର ଜଣେ ପୁଲିସ ଅଧିକାରୀଙ୍କ ପୁଅ ନାବାଳିକାଙ୍କ ଘରକୁ ଆସି ଥାନାରେ ଅଭିଯୋଗ କଲେ ମୁହଁରେ ଏସିଡ୍‌ ପକାଇ ପୋଡ଼ି ଦେବେ ବୋଲି ଧମକ ଦେଇଥିବା ନାବାଳିକାଙ୍କ ମାଆ ଥାନାରେ ଜଣାଇଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସିଭିଲ ଲାଇନ୍‌ ଥାନା ଅଧିକାରୀ କହିଛନ୍ତି।
ଉତ୍ତରପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାମାନଙ୍କ ପ୍ରତି ଗଣ ଦଷ୍କର୍ମ ମାମଲା ବଢ଼ିବଢ଼ି ଚାଲିତିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ମଧ୍ୟ ଜଣେ ନାବାଳିକାଙ୍କୁ ୬ ଜଣ ଯୁବକ ୨ ମାସ ବନ୍ଧକ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେ ଘଟଣାର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର