ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ଅଭିନେତ୍ରୀଙ୍କୁ ଅସଦାଚରଣ

ଭୁବନେଶ୍ୱର: ରାତି ଅଧରେ ମଦ୍ୟପଙ୍କ ଉତ୍ପାତ ସୀମା ଲଙ୍ଘିଛି। ଜଣେ ମହିଳା ଅଭିନେତ୍ରୀଙ୍କୁ ଗାଡିରୁ ଟାଣି ଆଣି ରାସ୍ତା ମଝିରେ ଅସଦାଚରଣ କରିବା ସହ ଜଣେ ବରିଷ୍ଠ ହାସ୍ୟ ଅଭିନେତାଙ୍କୁ ଆକ୍ରମଣ ହୋଇଛି। ଘଟଣା ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଂଚଳରେ ଘଟିଛି। ଘଟଣାସ୍ଥଳରୁ ଅଭିନେତ୍ରୀ ଫୋନ କରିବାରୁ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ସୂଚନା ମୁତାବକ, ଗତ ରାତିରେ ସାଲେପୁରରୁ ଏକ କାର୍ଯ୍ୟକ୍ରମ ସାରି ବରିଷ୍ଠ ହାସ୍ୟ ଅଭିନେତା ଅଶୋକ ଓଝା ଜଣେ ମହିଳା ଅଭିନେତ୍ରୀ ଓ ଅନ୍ୟ କିଛି ବନ୍ଧୁଙ୍କ ସହ ଫେରୁଥିଲେ। ରାତି ପ୍ରାୟ ୨ଟା ବେଳେ ଚକେଇସିଆଣି ଠାରେ ୪ଜଣ ଯୁବକ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲେ। ଗାଡ଼ି ଅଟକାଇ ମଦ ପିଇବା ପାଇଁ ପାଣି ମାଗିଥିଲେ। ଗାଡ଼ିରେ ପାଣି ନଥିବାରୁ ଚାଳକଙ୍କୁ ଭିଡ଼ି ଆଣି ମାଡ଼ ମାରିଥିଲେ। ଏଭଳି ଦେଖି ଅଶୋକ ଓ ଅନ୍ୟ ଦୁଇଜଣ ବନ୍ଧୁ ଓହ୍ଲାଇ ପଡ଼ିଥିଲେ। ଯୁବକମାନେ ଚାଳକଙ୍କୁ ଛାଡି ଏମାନଙ୍କୁ ଗାଳି ସହ ଆକ୍ରମଣ କରିଥିଲେ। ମହିଳା ଅଭିନେତ୍ରୀ ଜଣକ ପୁଲିସକୁ ଫୋନ କରିଥିଲେ। ଏହା ଦେଖି ଯୁବକମାନେ ଉତ୍‌କ୍ଷିପ୍ତ ହେବା ସହ ଗାଡ଼ି ଭିତରେ ପଶି ତାଙ୍କ ଚୁଟି ଧରି ଟାଣି ଆଣିଥିଲେ। ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ। ଅଭିଯୋଗ ହେବା ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଅଭିନେତ୍ରୀ ସେହି ଅଞ୍ଚଳରେ ରହୁଥିବାରୁ ମାମଲା ଉଠେଇବାକୁ ଧମକ ମିଳିଛି।

ସମ୍ବନ୍ଧିତ ଖବର