ଯୁବତୀଙ୍କୁ ଅସଦାଚରଣ କରି କାର୍‌ରୁ ଫିଙ୍ଗି ଦେଲେ

ଚନ୍ଦ୍ରଶେଖରପୁର: ଜଣେ ଯୁବତୀଙ୍କୁ ତାଙ୍କର କିଛି ପୁରୁଷ ବନ୍ଧୁ ଅସଦାଚରଣ କରିବା ପରେ କାର୍‌ରୁ ଫିଙ୍ଗି ଦେଇଛନ୍ତି। ଏଭଳି ଘଟଣା ଘଟିଛି ଇନ୍‌ଫୋସିଟି ଥାନା ଅଧୀନ ଇନ୍‌ଫୋସିଟି-ଶିଖରଚଣ୍ଡୀ ରାସ୍ତାରେ। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡ଼ିତ ଯୁବତୀଙ୍କୁ ପଚରାଉଚରା କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ତେବେ ଶେଷ ଖବର ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା। ଅସଦାଚରଣର ଶିକାର ଯୁବତୀଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଇଂଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ସେ ତାଙ୍କର କିଛି ପୁରୁଷ ବନ୍ଧୁଙ୍କ ସହ ଏକ କାର୍‌ରେ ବୁଲିବାକୁ ଯାଇଥିଲେ। ଏହାର ଫାଇଦା ନେଇ ଯୁବକମାନେ ତାଙ୍କୁ କୁଆଖାଇ ନଦୀପଠାକୁ ନେଇ ଅସଦାଚରଣ କରିଥିଲେ। ପରେ ରାତି ପ୍ରାୟ ସାଢ଼େ ୯ଟାରେ ସେମାନେ ଯୁବତୀଙ୍କୁ ଇନ୍‌ଫୋସିଟି-ଶିଖରଚଣ୍ଡୀ ଶୂନଶାନ୍‌ ରାସ୍ତାରେ କାର୍‌ରୁ ଫିଙ୍ଗି ଦେଇଥିଲେ। ଏହାର ପ୍ରତିବାଦ କରିବା ସହ ଯୁବତୀଜଣଙ୍କ ସେମାନଙ୍କୁ ଗାଳିଗୁଲଜ କରିବାରୁ କାର୍‌ ମଧ୍ୟରୁ ଜଣେ ଯୁବକ ବାହାରି ଆସି ପୁଣିଥରେ ତାଙ୍କୁ ଦୁର୍ବ୍ୟବହାର କରି ନିକଟସ୍ଥ ବୁଦା ମଧ୍ୟକୁ ଠେଲି ଦେଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ବାଇକ୍‌ ଆରୋହୀ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ କାର୍‌ରେ ଫେରାର୍‌ ହୋଇଯାଇଥିଲେ। ଅପରପକ୍ଷେ ଖବର ପାଇ ଯୁବତୀଜଣଙ୍କ ରହୁଥିବା ହଷ୍ଟେଲର ସୁରକ୍ଷାକର୍ମୀ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର