ସୁଡ଼ଙ୍ଗ ଖୋଳି ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ

ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧ / ମଞ୍ଜୁରୀରୋଡ : ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ୍‌ସ୍ଥିତ ଆହ୍ଲାବାଦ ବ୍ୟାଙ୍କ ପରିସରରୁ ଜଣେ ଗ୍ରାହକଙ୍କଠାରୁ ଦେଢ ଲକ୍ଷ ଟଙ୍କା ଲୁଟି ନେବାର ଦୁଇଦିନ ପରେ ପୁଣି ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଭଣ୍ତାରିପୋଖରୀସ୍ଥିତ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ସୁଡଙ୍ଗ ଖୋଳି ଲୁଟ୍‌ ଉଦ୍ୟମ କରିଛନ୍ତି। ତେବେ ଦୁର୍ବୃତ୍ତମାନେ ବ୍ୟାଙ୍କରୁ କିଛି ନେଇ ପାରିନାହାନ୍ତି।

ଭଣ୍ତାରିପୋଖରୀ ଗ୍ରାମ୍ୟବ୍ୟାଙ୍କ କୋଠାର ତଳ ମହଲାରେ ସାବିତ୍ରୀ ପଲ୍ୟୁସନ୍‌ କେନ୍ଦ୍ର ଓ ଗ୍ରାମ୍ୟବ୍ୟାଙ୍କ ପରିଚାଳିତ ହେଉଥିବା ବେଳେ ଉପର ମହଲାରେ ସମବାୟ ବ୍ୟାଙ୍କ ଶାଖା ପରିଚାଳିତ ହେଉଛି। ଗତକାଲି ରାତିରେ ସ˚ପୃକ୍ତ କୋଠାର ପଛପଟ ସାବିତ୍ରୀ ପଲ୍ୟୁସନ୍‌ କେନ୍ଦ୍ରର ଶୌଚାଳୟ ଲୁହା ଗ୍ରିଲ୍‌କୁ ଡକାୟତମାନେ ଗ୍ୟାସ୍‌ କଟରରେ କାଟି ଭିତରକୁ ପଶିଥିଲେ ଏବଂ ପଲ୍ୟୁସନ୍‌ କେନ୍ଦ୍ରରୁ ୭ ହଜାର ଟଙ୍କା ଲୁଟି ନେଇଥିଲେ। ପରେ ସେମାନେ ଗ୍ରାମ୍ୟବ୍ୟାଙ୍କ କାନ୍ଥ ଭାଙ୍ଗିବା ସହ ସୁଡଙ୍ଗ ଖୋଳି ଭିତରକୁ ପ୍ରବେଶ କରିଥିଲେ। ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ଅନୁଯାୟୀ, ଡକାୟତମାନେ ରାତି ୧୨.୦୫ରେ ବ୍ୟାଙ୍କ ଭିତରକୁ ପ୍ରବେଶ କରି ସେଠାରେ ଗୋଟାଏ ୪୦ ପର୍ଯ୍ୟନ୍ତ ରହିଥିଲେ। ତେବେ ବ୍ୟାଙ୍କ ଲକର୍‌ ଭାଙ୍ଗି ନ ପାରି ଡକାୟତମାନେ ପଛବାଟେ ପଳାଇଯିବା ପୂର୍ବରୁ ସାଙ୍ଗରେ ଆଣିଥିବା ଅକ୍ସିଜେନ୍‌ ଗ୍ୟାସ ସିଲିଣ୍ତର, ଲୁହା ରଡ୍‌ ସେଠାରେ ଛାଡି ପଳାଇଥିଲେ। ଆଜି ସକାଳେ ପଲ୍ୟୁସନ୍‌ କେନ୍ଦ୍ର ମାଲିକଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ, ବ୍ୟାଙ୍କ ମ୍ୟାନେଜର ଆସି ପହଞ୍ଚିଥିଲେ। ଏ ନେଇ ପୁଲିସ ଛାନ୍‌ଭିନ୍‌ କରିବା ସହ ସାଇଣ୍ଟିଫିକ ଟିମ୍‌ ଦ୍ବାରା ତଦନ୍ତ କରିଛି। ବ୍ୟାଙ୍କ ମ୍ୟାନେଜର ସଙ୍ଗୀତା ବିଶ୍ବାଳଙ୍କ ଅଭିଯୋଗ କ୍ରମେ ଥାନା କେସ୍ ନଂ ୨୨୨/୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର