ଭୁବନେଶ୍ବରରେ ବିଚ୍ ରାସ୍ତାରେ ଯୁବକଙ୍କୁ ଚଳନ୍ତା ଗାଡ଼ିରେ ହାଣିଲେ ଦୁର୍ବୃତ୍ତ, ଯୁବକ ମୃତ

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଦିନ ଦ୍ବିପହରରେ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଚଳନ୍ତା ଗାଡ଼ିରେ ହାଣିଲେ ଦୁର୍ବୃତ୍ତ । ଯୁବକ ଜଣଙ୍କୁ ହସ୍ପିଟାଲ୍‌ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ସଭିଙ୍କୁ ଆତଙ୍କିତ କରିଛି । ଦିନ ଦ୍ୱିପହରରରେ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଏକ ପିକ-ଅପ୍ ଭ୍ୟାନ୍ ଭିତରେ ହାଣିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣକ ଗାଡ଼ି ଚାଳକ ଟୁକୁନା ହୋଇଥିବା ହୋଇଥିବା ବେଳେ ଦୁଇ ହତ୍ୟାକାରୀ ହେଉଛନ୍ତିି ସାଗର ପୃଷ୍ଟି ଓ ସୁଧୀର ପୃଷ୍ଟି। ତେବେ ଦୁଇ ହତ୍ୟାକାରୀ ଖସି ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ନିସ୍ତୁକ ପିଟିଥିଲେ।

ସୂଚନାନୁସାରେ, ପିକଅପ୍ ଭ୍ୟାନରେ ଟୁକୁନା, ସୁଧୀର ଓ ସାଗର ଆସୁଥିଲେ । ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ପରେ ହାତାହାତି ହୋଇଥିଲେ । ଏହି ସମୟରେ ଧାରୁଆ ଅସ୍ତ୍ରରେ ଟୁକୁନାକୁ ଆକ୍ରମଣ କରିଥିଲେ ଦୁଇ ଜଣ । ଟୁକୁନାଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଇଥିଲେ ଲୋକେ । ଟୁକୁନାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ସୁଧୀର ଓ ସାଗରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଣ୍ଡଗୋଳରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କ ଘର ସ୍ଥାନୀୟ ସାଲିଆସାହିରେ । ତେବେ ରାଜଧାନୀରେ ଦିନ ଦ୍ବିପ୍ରହରରେ ଏଭଳି ଘଟଣା ଲୋକଙ୍କୁ ଆତଙ୍କିତ କରିଛି।

ସମ୍ବନ୍ଧିତ ଖବର