ବିଳମ୍ବିତ ରାତିରେ ଯୁବକଙ୍କୁ ଗୁଳି କରି ଲୁଟିଲେ

ବାଲିଅନ୍ତା : ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଧୀନ ପଞ୍ଚାୟତ ରୋଡ୍‌ ଛକରେ ଆଜି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗୁଳି ମାଡ଼ ହୋଇଛି। ଆହତ ଯୁବକ ଜଣକ ହେଲେ, ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଅମୃତମଣୋହିପାଟଣାର ଜଗବନ୍ଧୁ ସାହୁ। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ଏନେଇ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଜଗବନ୍ଧୁ ମଞ୍ଚେଶ୍ୱର ଥାନା ଅଧୀନ ପଳାସୁଣୀସ୍ଥିତ ଏକ ମଦ ଦୋକାନରେ କାମ କରନ୍ତି। ପ୍ରତିଦିନ ଭଳି ଆଜି ସେ କାମ ସାରି ରାତି ପ୍ରାୟ ୧୨ଟା ପାଖାପାଖି ଜଣେ ସହଯୋଗୀଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପଞ୍ଚାୟତ ରୋଡ୍‌ ଛକ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିମଧ୍ୟରୁ ଗୋଟିଏ ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଆହତ ଜଗବନ୍ଧୁ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ୫ ହଜାର ଟଙ୍କା ସହ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଲୁଟି ନେଇ ଫେରାର୍‌ ହୋଇଯାଇଥିଲେ। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ଜଗବନ୍ଧୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲା। ପୁଲିସକୁ ଘଟଣାସ୍ଥଳରୁ ଏକ ଖୋକା ମିଳିଛି। ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ଏନେଇ ପୁଲିସ ଅଧିକ ଖୋଳତାଡ଼ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ କୁରଛି।

ସମ୍ବନ୍ଧିତ ଖବର