କୁଖ୍ୟାତ ମିଥୁନ୍‌ ସମେତ ୪ ଚୋର ଗିରଫ

୬ ଲକ୍ଷର ୟୁପିଏସ୍‌ ୧୨ ଶହ ଟଙ୍କାରେ ବିକି ଥିଲା

ଖଣ୍ଡଗିରି: ମଞ୍ଚେଶ୍ୱର ଅଞ୍ଚଳରେ ପ୍ରାୟ ଏକ ଡଜନ୍‌ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଚୋର ଜଗନ୍ନାଥ ମହାପାତ୍ର ଓରଫ୍‌ ମିଥୁନ୍‌କୁ ଖଣ୍ଡଗିରି ଥାନା ପୁଲିସ ଶନିବାର କୋର୍ଟଚାଲାଣ କରିଛି। ଆଖି ପିଛୁଳାକେ ବସ୍‌ ଡିକିରୁ ୬ଲକ୍ଷ ଟଙ୍କାର ଏକ ୫୦ କେଜି ଓଜନର ଏପିସି ମେଡ୍‌ ୟୁପିଏସ୍‌ ଉଠାଇ ନେଇ କବାଡ଼ିଆକୁ ମାତ୍ର ୧୨ ଶହ ଟଙ୍କାରେ ବିକ୍ରି କରି ଧରାପଡ଼ିଛି ମିଥୁନ୍‌। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମିଥୁନ୍‌ ସହ ଅନ୍ୟ ୩ ଜଣକୁ ମଧ୍ୟ ପୁଲିସ କୋର୍ଟଚାଲାଣ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ବରବାରୀ ତପୋବନ ବସ୍ତିରେ ରହୁଥିବା ନୟାଗଡ଼ ଶରଣକୁଳ ଥାନା ହରିହରପୁରର ଜଗନ୍ନାଥ ମହାପାତ୍ର ଓରଫ୍‌ ମିଥୁନ୍‌(୩୦), ସେହି ବସ୍ତି ବାସିନ୍ଦା ଗଞ୍ଜାମ ଜଗନ୍ନାଥ ପ୍ରସାଦର ଟୁକୁନା ଗୌଡ଼ (୩୨), ବରମୁଣ୍ଡା ଶିବମନ୍ଦିର ନିକଟରେ ରହୁଥିବା ଜଗତସିଂହପୁର କୁଜଙ୍ଗ ଥାନା ପଙ୍କପାଳର ବିଭୁନା ରାଉତ(୨୩) ଓ ଖଣ୍ଡଗିରିରେ ଏକ ଗ୍ୟାରେଜ୍‌ ତଥା କବାଡ଼ିଆ ଦୋକାନ କରିଥିବା ନୟାଗଡ଼ ଫତେଗଡ଼ର ବ୍ରଜମୋହନ ସାହୁ (୩୨)। ପୁଲିସ ସେମାନଙ୍କଠାରୁ ଚୋରି ୟୁପିଏସ୍‌କୁ ଜବତ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଗତ ୨୭ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ କୋଳଥିଆ ହାଉସିଂବୋର୍ଡ କଲୋନିରେ ରହୁଥିବା ବିକାଶ କୁମାର ଅଗ୍ରଓ୍ଵାଲ୍‌ ଏକ ଏପିସି ମେଡ୍‌ ୟୁପିଏସ୍‌କୁ ଧରି ଖଣ୍ଡଗିରି ରମାମଣି ପେଟ୍ରୋଲ୍‌ ପମ୍ପ ନିକଟକୁ ଆସିଥିଲେ। ଉକ୍ତ ୟୁପିଏସ୍‌କୁ ବସ୍‌ ଯୋଗେ ଅନୁଗୁଳ ପଠାଇଥାଆନ୍ତେ। ବସ୍‌ କର୍ମଚାରୀମାନଙ୍କ ଉପସ୍ଥିତିରେ ବିକାଶ ୟୁପିଏସ୍‌କୁ ବସ୍‌ ଡିକିରେ ରଖିଥିଲେ। କିନ୍ତୁ ପରଦିନ ଭୋର୍‌ ସମୟରେ ବସ୍‌ଟି ଅନୁଗୁଳରେ ପହଞ୍ଚିବା ବେଳକୁ ଡିକିରେ ୟୁପିଏସ୍‌ ନଥିଲା। ବିକାଶ ୟୁପିଏସ୍‌କୁ ବସ୍‌ ଡିକିରେ ରଖି ଚାଲିଯିବା ପରେ ପରେ ସୁଯୋଗ ଦେଖି ମିଥୁନ୍‌ ତାହାକୁ ଡିକିରୁ କାଢ଼ି ନେଇ ଏକ ବୁଦା ଭିତରେ ଲୁଚାଇ ଦେଇଥିଲା। ପରେ ବିଳମ୍ବିତ ରାତିରେ ସେ ବିଭୁନା ରାଉତକୁ ସାଥୀ କରି ଟୁକୁନା ଗୌଡ଼ ଅଟୋରିକ୍ସାରେ ନେଇ କବାଡ଼ିଆ ବ୍ରଜକୁ ଦେଇଥିଲେ। ବସ୍‌ରୁ ୟୁପିଏସ୍‌ ଗାଏବ୍‌ ହେବା ଖବର ପାଇ ବିକାଶ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କଲାପରେ ଜଣାଗଲା ଯେ ମିଥୁନ୍‌ ହିଁ କାର୍ପଟ୍‌ଦାର। ମିଥୁନ୍‌କୁ ଉଠାଇବା ପରେ ସତ କଥା ଜଣାପଡ଼ିଥିଲା। ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ ସୂଚନାନୁସାରେ ମିଥୁନ୍‌ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ପ୍ରାୟ ୧୨ଟିରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବାବେଳେ ଖୋର୍ଧା ଅଞ୍ଚଳରେ ବି ବହୁ ମାମଲାରେ ଜଡ଼ିତ ରହିଛି।

ସମ୍ବନ୍ଧିତ ଖବର