ନିଶା ସ୍ପ୍ରେ’ କରି ଯୁବତୀଙ୍କ ଟଙ୍କା, ମୋବାଇଲ ଲୁଟ୍‌

ଭୁବନେଶ୍ବର: ଖଣ୍ଡଗିରି କୋଳଥିଆ ସତ୍ୟସାଇ ଏନକ୍ଲେଭରେ ଜଣେ ଦୁର୍ବୃତ୍ତ ଘର ଭିତରେ ପଶି ଜଣେ ଯୁବତୀଙ୍କୁ ନିଶା ସ୍ପ୍ରେ’ କରି ମୋବାଇଲ, ମନିପର୍ସ, କିଛି ସାମଗ୍ରୀ ଲୁଟି ନେଇଛି। ଲୁଟ୍‌ର ଶିକାର ଯୁବତୀ ପ୍ରିୟଙ୍କା ପ୍ରଧାନ ବୋଲି ଜଣାପଡ଼ିଛି। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁସାରେ, ପ୍ରିୟଙ୍କା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେତେବେଳେ ସେହି ସମ୍ପର୍କୀୟଙ୍କ ପରିବାରଲୋକ ବାହାରକୁ ବୁଲିବାକୁ ଯାଇଥିଲେ। ପ୍ରିୟଙ୍କା ଏକୁଟିଆ ଘରେ ଥିଲେ। ଗତ ମଙ୍ଗଳବାର ସକାଳେ କେହି ଜଣେ ଘର କବାଟ ବାଡେଇ ଥିଲେ। ପ୍ରିୟଙ୍କା କବାଟ ଖୋଲିବା କ୍ଷଣି ହିଁ ଦୁର୍ବୃତ୍ତ ଜଣକ ତାଙ୍କ ମୁହଁକୁ ନିଶା ସ୍ପ୍ରେ କରି ଦେଇଥିଲେ। ପ୍ରିୟଙ୍କା ଅଚେତ ହୋଇ ତଳେ ପଡିଥିବା ବେଳେ ଦୁର୍ବୃତ୍ତ ତାଙ୍କ ମୋବାଇଲ ଫୋନ୍, ପର୍ସ ଓ କିଛି ସାମଗ୍ରୀ ଲୁଟି ନେଇଥିଲେ। ପ୍ରିୟଙ୍କାଙ୍କ ଚେତା ଆସିବା ପରେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ କରିଛି ପୁଲିସ।

ସମ୍ବନ୍ଧିତ ଖବର