ପୁରୁଣା ଭୁବନେଶ୍ବର: ବଡ଼ଗଡ଼ ଥାନା ଅଧୀନ ଗୌତମ ନଗରରୁ ୨ଟି ମୋବାଇଲ୍‌ ଓ ୬ ହଜାର ଟଙ୍କା ଛଡ଼ାଇ ଜଣେ ଯୁବକକୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ, ବଡ଼ଗଡ଼ ଥାନା ଅଧୀନ ଚିଲ୍ଲିପୋଖରୀ ନିକଟ ତାରିଣୀ ବସ୍ତିର ରବୀନ୍ଦ୍ର ଦଳେଇ(୨୨), ଚନ୍ଦ୍ରଶେଖରପୁର ଥାନା ଅଧୀନ ବିଡିଏ କଲୋନି ବ୍ଲକ୍‌ ୧୦ର ରଞ୍ଜନ ପଟ୍ଟନାୟକ(୨୭) ଓ ନିଆଳି ଥାନା ଅଧୀନ ନଟି ଗ୍ରାମର ଅଭିଷେକ ପ୍ରଧାନ(୨୪)। ପୁଲିସ ସୂଚନା ଅନୁଯାୟୀ, ଆଇଟିଆର୍‌ କଲେଜରେ ପଢ଼ୁଥିବା ସଂଗ୍ରାମ ନାୟକ ତା’ ପ୍ରେମିକା ସହ ଗୌତମ ନଗରରେ ସନ୍ଧ୍ୟାରେ ଗପୁଥିଲା। ଏହି ସମୟରେ ଏହି ତିନିଜଣ ସେଠାରେ ପହଞ୍ଚି ସଂଗ୍ରାମକୁ ଟେକି ନେଇଥିଲେ। କିଛି ଦୂରରେ ସଂଗ୍ରାମକୁ ମାଡ଼ ମାରି ତା’ର ୨ଟି ଦାମୀ ମୋବାଇଲ୍‌ ଓ ୬ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ତିନି ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି।