ମୋବାଇଲ୍‌ ଝାମ୍ପି ବୁଦାରେ ପଶିଗଲା, ପୁଲିସ ନୟାନ୍ତ

ଭୁବନେଶ୍ୱର : ଆଜି ମଧ୍ୟାହ୍ନରେ ସିଆର୍‌ପି ଓଭରବ୍ରିଜ୍ ସର୍ଭିସ ରୋଡ୍‌ରେ ଏକ ବିଚିତ୍ର ଘଟଣା ଘଟିଛି। ଜଣେ ଯୁବତୀଙ୍କଠାରୁ ଦୁର୍ବୃତ୍ତ ମୋବାଇଲ୍ ଝାମ୍ପି ନେବା ପରେ ନିକଟସ୍ଥ ଏକ ବୁଦା ଭିତରେ ପଶିଯିବାରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତେ ନୟାନ୍ତ ହୋଇଛନ୍ତି। ପୁଲିସ ଗୋଟିଏ ପଟେ ବୁଦାରେ ପଶି ଖୋଜିବା ବେଳେ ଅନ୍ୟପଟେ ଲୁଟେରା ଖସି ଯାଇଛି। ଲୁଟ୍‌ର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁର ଖଡଗପୁର ଟାଉନ୍‌ର ଅଞ୍ଜଳୀ କାଣ୍ଡେଇ। ସେ ଏବେ ବେହେରା ସାହିରେ ରହୁଛନ୍ତି। ନୂଆପଲ୍ଲୀ ଥାନାରେ ଏତଲା ଦିଆଯିବା ପ‌ରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ସେ ଫାୟାର ଷ୍ଟେସନରୁ ରୁମ୍‌କୁ ଫେରୁଥିଲେ। ଓଭରବ୍ରିଜ୍‌ର ସର୍ଭିସ ରାସ୍ତାରେ ମୋବାଇଲ୍‌ରେ କଥା ହୋଇ ଚାଲି ଚାଲି ଯାଉଥିଲେ। ପଛରୁ ଲୁଟେରାଜଣକ ଆସି ତାଙ୍କ ହାତରୁ ମୋବାଇଲ୍ ଝାମ୍ପି ନେଇ ଦଉଡ଼ିଥିଲା। ଅଞ୍ଜଳୀ ହଲ୍ଲା ପକାଇବାରୁ ପଛରୁ ବାଇକ୍‌ରେ ଆସୁଥିବା କେତେକ ଯୁବକ ତାକୁ ଗୋଡ଼ାଇଥିଲେ। ଆଉ ବର୍ତ୍ତିବା ସମ୍ଭାବନା ନ ଥିବାରୁ ଲୁଟେରା ରାସ୍ତା ତାରଜାଲି ଡେଇଁ ସିଆରପି କ୍ୟାମ୍ପସ ପାଚେରି କଡ଼ରେ ଥିବା ବୁଦା ଭିତରେ ଲୁଚିଯାଇଥିଲା। ଯୁବକମାନେ ଖୋଜି ଖୋଜି ନୟାନ୍ତ ହେବା ପରେ ନୂଆପଲ୍ଲୀ ଥାନା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୨ ଟି ପିସିଆର ଭ୍ୟାନ୍ ପହଞ୍ଚିଥିଲା। ପୁଲିସ ବୁଦାରେ ପଶି ଖୋଜିବା ବେଳେ ଲୁଟେରା ଆରପଟେ ବାହାରି ପଳାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର