ମୋବାଇଲ ଲୁଟେରା ଓ ଦୋକାନୀ ଗିରଫ

୩୦ଟି ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ପୁଲିସ ମୋବାଇଲ ଲୁଟରେ ସଂପୃକ୍ତ ଜଣେ ଯୁବକ ଓ ଜଣେ ଦୋକାନୀକୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ ଭୋଇସାହି ଅଞ୍ଚଳର ରଞ୍ଜି ପ୍ରଧାନ ଓରଫ ରବି(୨୦) ଓ ସାଲିଆସାହି ନିରଙ୍କାରୀନଗର ଅଞ୍ଚଳର ଜିତେନ୍ଦ୍ର ଲେଙ୍କା(୨୨)। ପୁଲିସ ସେମାନଙ୍କଠାରୁ ୩୦ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ରଞ୍ଜି ସ୍ଥାନୀୟ ଅଞ୍ଚଳରେ ଲୁଟ୍‌ପାଟ୍‌ କରି କୋକୁଆ ଭୟ ସୃଷ୍ଟି କରିଥିଲା। ତେବେ ଗତ ୬ ତାରିଖ ବିଳମ୍ବିତ ରାତିରେ ଚରଣ ଦାସ ନାମକ ଜଣେ ବ୍ୟକ୍ତି ରେଣ୍ଟାଲ କଲୋନିରୁ ଘରକୁ ଫେରୁଥିଲେ। ଏହି ସମୟରେ ରଞ୍ଜି ଓ ତାର ୨ ସହଯୋଗୀ ଏକ ବାଇକ୍‌ରେ ଆସି ଚରଣଙ୍କୁ ଆକ୍ରମଣ କରି ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ।

ଚରଣ ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ଗୋଡ଼ାଇ ଗୋଡ଼ାଇ ୨ଜଣଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ହେଲେ ରଞ୍ଜି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ରଞ୍ଜିକୁ ଗିରଫ ପାଇଁ ପୁଲିସ ତା’ର ମୋବାଇଲ ଫୋନ୍‌ ଟ୍ରାକିଂ କରି ତାର ଗତିବିଧି ଉପରେ ନଜର ରଖିଥିଲା। ସୋମବାର ବିଳମ୍ବିତ ରାତିରେ ରଞ୍ଜି ସାଲିଆସାହି ଅଞ୍ଚଳକୁ ଆସିଥିବା ଖବର ପାଇ ପୁଲିସ ସେଠାରେ ଥିବା ଏକ ଘରେ ଚଢ଼ଉ କରି ରଞ୍ଜିକୁ ଗିରଫ କରିଥିଲା। ତାକୁ ଥାନାକୁ ଆଣି ପଚରାଉଚରା ପରେ ତା’ ନିକଟରୁ ୧୦ଟି ମୋବାଇଲ୍‌ ଫୋନ୍‌ ମିଳିଥିଲା। ଏହାଛଡ଼ା ଜିତେନ୍ଦ୍ର ନାମକ ଜଣେ ମୋବାଇଲ୍‌ ଦୋକାନୀକୁ ସେ କିଛି ମୋବାଇଲ୍‌ ବିକ୍ରି କରିଥିବା ମାନିଥିଲା। ଜିତେନ୍ଦ୍ର ଚୋରା ମୋବାଇଲ୍‌ କିଣି ଅଳ୍ପ ଲାଭରେ ରାଜଧାନୀ ବାହାରେ ବିକ୍ରି କରୁଥିବା ଜଣା ପଡ଼ିବା ପରେ ପୁଲିସର ଏକ ଟିମ୍‌ ରଞ୍ଜିକୁ ନେଇ ଜିତେନ୍ଦ୍ର ଘରେ ଚଢ଼ାଉ କରିଥିଲା। ସେଠାରୁ ପୁଲିସ ୨୦ଟି ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଜିତେନ୍ଦ୍ରକୁ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର