ଇନ୍ସପେକ୍ଟରଙ୍କ ମୋବାଇଲ୍‌ ଚୋରି

ଭୁବନେଶ୍ବର: ମୋବାଇଲ୍ ଚୋରି, ତାହା ପୁଣି କମିସନରେଟ ପୁଲିସର ଜଣେ ଇନ୍ସପେକ୍ଟରଙ୍କର। ଗୋଟିଏ ନୁହେଁ ଦୁଇ ଦୁଇଟି ସ୍ମାର୍ଟ ଫୋନ ଚୋରି ହୋଇଛି ବାବୁଙ୍କର। ଘଟଣା ଘଟିଛି ଏଜି ଛକରେ ଥିବା ଟ୍ରାଫିକ୍ ଥାନାରେ। ଆଜି ସଂଧ୍ୟାରେ ଟ୍ରାଫିକ ଥାନା ଇନ୍ସପେକ୍ଟର ସୁରେନ୍ଦ୍ର ବଳଙ୍କ ମୋବାଇଲକୁ କେହି ଥାନା ଭିତରୁ ଚୋରି କରି ନେଇଛି। ଏନେଇ ଇନ୍ସପେକ୍ଟର ସୁରେନ୍ଦ୍ର କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ସିସିଟିଭି ଯାଞ୍ଚ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଇନ୍ସପେକ୍ଟର ସୁରେନ୍ଦ୍ର ଦୁଇଟି ମୋବାଇଲ ଫୋନ୍ ନିଜ ଟେବୁଲ ଉପରେ ରଖିଥିଲେ। ଏହି ସମୟରେ କେତେକ ଯୁବକ ଜରିମାନା ଦେବାକୁ ଆସିଥିଲେ। ଏଥିପାଇଁ ଇନ୍ସପେକ୍ଟରଙ୍କ ଚାମ୍ବରରେ ଗହଳି ଥିଲା। ଏହାର ସୁଯୋଗ ନେଇ କେହି ଇନ୍ସପେକ୍ଟରଙ୍କ ମୋବାଇଲ୍ ଫୋନ ଚୋରାଇ ନେଇଥିବା ଜଣାପଡ଼ିଛି। ବଡ଼ କଥା ହେଉଛି, ଥାନା ଭିତରୁ ମୋବାଇଲ ଫୋନ୍ ଚୋରି ହେବା ଘଟଣାକୁ ନେଇ ଏବେ ଚର୍ଚା‌ ଜୋର ଧରିଛି। ପୁଲିସ ନିଜକୁ ନିଜେ ସୁରକ୍ଷା ଦେଇ ପାରୁ ନଥିବା ବେଳେ କିଭଳି ସାଧାରଣ ଲୋକ ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ୨୦୧୩ ମସିହାରେ ଖାରବେଳନଗର ଥାନା ତତ୍କାଳୀନ ଇନ୍ସପେକ୍ଟର ନିହାର ପ୍ରଧାନଙ୍କ ମୋବାଇଲ ଫୋନ ତାଙ୍କ ଚାମ୍ବରରୁ ଚୋରି ହୋଇଥିଲା।

ସମ୍ବନ୍ଧିତ ଖବର