ମହଙ୍ଗା ପଡ଼ିଲା ବିଦେଶିନୀଙ୍କୁ ଅସଦାଚରଣ; ଫେସ୍‌ବୁକ୍‌ରେ ଘଟଣା ବଣ୍ଣନା କରିବା ପରେ ଗିରଫ ହେଲା ଅପରାଧୀ

ପାନାଜୀ: ଭାରତ ବୁଲିବାକୁ ଆସିଥିବା ଜନୈକା ଆମେରିକୀୟ ମହିଳା ପର୍ଯ୍ୟଟକ ଗୋଆରେ ଜନୈକ ବ୍ୟକ୍ତିଙ୍କ ଦ୍ୱାରା କିପରି ଅସଦାଚରଣର ଶିକାର ହେଲେ ସେସଂପର୍କରେ ସେ ତାଙ୍କ ଫେସ୍‌ବୁକ୍‌ ପୃଷ୍ଠାରେ ସବିଶେଷ ଉଲ୍ଲେଖ କରିବାପରେ, ତାଙ୍କ ଫେସ୍‌ବୁକ ପୋଷ୍ଟିଂ ଆଧାରରେ ଗୋଆ ପୋଲିସ୍‌ ସଂପୃକ୍ତ ଅସଦାଚରଣକାରୀକୁ ଗିରଫ କରିବା ଘଟଣା ଏବେ ଗୋଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା ଜନୈକା ମହିଳା ବୁଲିବା ଉଦ୍ଦେଶ୍ୟରେ ଗୋଆ ଆସିଥିଲେ। ସାଧାରଣତନ୍ତ୍ର ଦିବସ ପରଦିନ ସେ ଗୋଆରେ ସପ୍ତାହନ୍ତ ଛୁଟି ବିତାଉଥିବା ବେଳେ ସେଠାରେ ମିଳୁଥିବା ଗୋଟିଏ ମୋଟର ସାଇକେଲ ଟ୍ୟାକ୍ସି ବୁକ୍‌ କରିଥିଲେ। ତାଙ୍କୁ ସେଥିରେ ଉତ୍ତର ଗୋଆର ଆର୍‌ପୋରା ଗ୍ରାମରୁ ପ୍ରାୟ ୪୦ କିଲୋମିଟର ଦୂରବର୍ତ୍ତୀ ମୋରଜିକ୍‌ ଗ୍ରାମ ସମୁଦ୍ରକୂଳକୁ ଯିବାର ଥିଲା। ତେବେ, ସଂପୃକ୍ତ ମୋଟର ସାଇକେଲ ଟ୍ୟାକ୍ସି ଚାଳକଙ୍କ ସହ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ କାମସାରି ନିଜ ହୋଟେଲକୁ ଫେରିବା ବାଟରେ ମୋଟର ସାଇକେଲ ଟ୍ୟାକ୍ସି ଚାଳକଜଣକ ତାଙ୍କ ସହିତ ଅସଦାଚରଣ କରିଥିଲେ।

ବିଦେଶିନୀ ଜଣକ ତାଙ୍କ ପ୍ରତି ହୋଇଥିବା ଅସଦାଚରଣ ସଂପର୍କରେ ନିଜ ଫେସ୍‌ବୁକ୍‌ ପୋଷ୍ଟିଂରେ ଲେଖିଛନ୍ତି, ‘ଫେରିବା ବାଟରେ ଟ୍ୟାକ୍ସି ଚାଳକ ଜଣକ ପ୍ରଥମେ ମେତେ ତାଙ୍କୁ ଗୋଟିଏ ଦେବାକୁ କହିଥିଲେ। ତେବେ, ମୁଁ ଏହାକୁ ହାଲ୍‌କା ଗ୍ରହଣ କରି ଜଣେ ପେଶାଦାର ଚାଳକ ଭାବେ ମୋ ସହ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲି। ହେଲେ, ପରେ ସେ ମୋତେ ନିର୍ଦ୍ଦିଷ୍ଟ ବାଟରେ ନଆଣି ଅନ୍ୟ ନିଛାଟିଆ ବାଟରେ ବୁଲାଇ ବୁଲାଇ ଆଣିବା ସହ ମୋ ହାତକୁ ତାଙ୍କ ଆଡ଼କୁ ଟାଣିନେଇ ତାଙ୍କ ସାର୍ଟ ଓ ପ୍ୟାଣ୍ଟ ଭିତରେ ପୂରାଇବାକୁ ଉଦ୍ଦ୍ୟମ କରିଥିଲେ। ମୁଁ ଏହାର ପ୍ରତିବାଦ କରିବାରୁ ପରେ ସେ ତାଙ୍କ ହାତ ପଛକୁ ଆଣି ମୋତେ ଛୁଇଁବାକୁ ଚେଷ୍ଟା କରିଥିଲେ। ସେତେବେଳେ ମୁଁ ନିରୂପାୟ ଅବସ୍ଥାରେ ମୋଟର ସାଇକେଲ ପଛରେ ବସିରହିବା ବ୍ୟତୀତ ମୋ ନିକଟରେ ଅନ୍ୟ ଉପାୟ ନଥିଲା। ପରେ ଟିକିଏ ଲୋକ ଗହଳି ସ୍ଥାନ ଦେଖି ମୋଟର ସାଇକେଲ ଅଟକାଇବା ପାଇଁ ଚିତ୍କାର କଲି। ସେ ଯେମିତି ମୋଟର ସାଇକେଲ ଅଟକାଇଲେ ମୁଁ ସଙ୍ଗେସଙ୍ଗେ ମୋଟର ସାଇକେଲରୁ ଓହ୍ଲାଇ ତାଙ୍କ ଉପରକୁ ୫୦୦ ଟଙ୍କଆ ନୋଟ୍‌ ଖଣ୍ଡେ ଫିଙ୍ଗି ଲୋକ ଗହଳି ମଧ୍ୟରେ ଲୁଚିଯିବା ସହ ତାଙ୍କ କବଳରୁ ରକ୍ଷା ପାଇଥିଲି।’

ତେବେ, ବିଦେଶିନୀଙ୍କ ଏପ୍ରକାର ଫେସ୍‌ବୁକ୍‌ ପୋଷ୍ଟିଂ ପଢ଼ିବା ପରେ ଗୋଆ ପୋଲିସ୍‌ ସଂପୃକ୍ତ ଅସଦାଚରଣକାରୀ ମୋଟର ସାଇକେଲ ଟ୍ୟାକ୍ସି ଚାଳକଜଣକୁ ଗିରଫ କରିଛି। ତା’ର ନାମ ଇସ୍‌ଦୋର ଫର୍ଣ୍ଣାଣ୍ଡିଜ୍‌ ଏବଂ ବୟସ ୪୪ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର