ଗଞ୍ଜାମରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଗ୍ୟାରେଜ୍‌ ଛକ ମଦ ଦୋକାନ ସେଲ୍‌ସମ୍ୟାନ୍‌ ହତ୍ୟା ଘଟଣା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍‌ ଛକ ନିକଟରେ ଥିବା ମଦ ଦୋକାନ ସେଲ୍‌ସମ୍ୟାନ୍‌ଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଆଜି ଗଞ୍ଜାମରୁ ଗିରଫ କରିଛି।  ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଧୀନ ୱାର୍ଡ ନଂ ୭ ମାଟିଆ ସାହିର ବି. ରବି ପ୍ରଧାନ। ପୁଲିସ ସୂଚନା ଅନୁଯାୟୀ ଗ୍ୟାରେଜ୍‌ ଛକରେ ଥିବା ମଦ ଦୋକାନର ସେଲ୍‌ସମ୍ୟାନ୍‌ ଆଦିତ୍ୟ କୁମାର ପ୍ରଧାନ(୩୫) ଓ ତାଙ୍କ ସହଯୋଗୀ ସୁକେଶ ମଲିକ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଶ୍ରୀରାମନଗରଠାରେ କେତେକ ଦୁର୍ବୃତ୍ତ ଉଭୟଙ୍କ ପିଛା କରିଥିଲେ। ଏକ ନିଛାଟିଆ ରାସ୍ତାରେ ବି. ରବି ଓ ତା ସହଯୋଗୀ ସେମାନଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଟଙ୍କା ବ୍ୟାଗ୍‌ ଛଡ଼ାଇଥିଲେ। ଆଦିତ୍ୟ ବ୍ୟାଗ ନଦେବାରୁ ସେମାନେ ତାଙ୍କର ଦୁଇ ହାତକୁ ଟାଙ୍ଗିଆରେ ହାଣି ଦେଇଥିଲେ। ପରେ ଟଙ୍କା ବ୍ୟାଗ୍‌ ନେଇ ଫେରାର୍‌ ହେଇଯାଇଥିଲେ। ଏହି ଘଟଣାରେ ସୁକେଶ ସାମାନ୍ୟ ଆହତ ହୋଇଥିବାବେଳେ ଆଦିତ୍ୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଆଦିତ୍ୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ପୁଲିସ୍‌ ପୂର୍ବରୁ ପାଞ୍ଚ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ରବି ପ୍ରଧାନ ଫେରାର ଥିଲା। ଲିଙ୍ଗରାଜ ଥାନାର ଏକ ଟିମ୍‌ ଗଞ୍ଜାମ ଯାଇ ତାକୁ ଧରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର